ରାସ୍ତା ଶୋଚନୀୟ, ବିଦ୍ୟାଳୟକୁ ଯିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରୀ ରାସ୍ତାର ୬ ଶହ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇ ରହିଥିବା ବେଳେ ଏବେ ଲଘୁଚାପଜନିତ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି। ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରୀଛାତ୍ର ନାନା ହଇରାଣ ହରକତ ହେବା ସହ କାଦୁଅରେ ପଡ଼ି ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଉକ୍ତ ଅଲାଞ୍ଜୁରୀ -ଡଙ୍ଗେସି ଦେଇ ଗଜପତି ଜିଲାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କରାଯାଇଛି ମାତ୍ର ୬ ଶହ ମିଟର ରାସ୍ତା ସଂପ୍ରସାରଣ ନ କରି ଛାଡ଼ି ଦିଆଯାଇଛି। ଫଳରେ ବର୍ଷାଦିନ ଆସିଲେ ସେହି ରାସ୍ତାରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଯିବା ମୁସ୍କିଲ ହୋଇପଡୁଥିବା ଗ୍ରାମବାସୀ କହିଛନ୍ତି। ଏବେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟ ହେଉଛି। ଉକ୍ତ ରାସ୍ତାରେ କନ୍ଧମାଳ ଜିଲା ସମେତ ସୀମାବର୍ତ୍ତୀ ଜିଲା ତଥା ରାୟଗଡ଼ା, ଗଜପତିର ଜନସାଧାରଣ ବ୍ରାହ୍ମଣୀଗାଁ ଉପରେ ନିର୍ଭର କରୁଥିବା ବେଳେ ସେମାନେ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଉକ୍ତ ରାସ୍ତାର ମରାମତି କରାଗଲେ ଅଞ୍ଚଳବାସୀ ଉପକୃତ ହେବେ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଅଲାଞ୍ଜୁରୀ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Umasankar Adv
Leave A Reply

Your email address will not be published.