ଗୃହ ବିଭାଗ ଗୋଟିଏ ମାମଲାରେ ତିନିଥର ମିଥ୍ୟା ସତ୍ୟପାଠ ଦେଇଛି : କଂଗ୍ରେସ

ଭୁବନେଶ୍ୱର (ଓଡିଶା ସମାଚାର ନ୍ୟୁଜ): ରାଜ୍ୟର ଆଇନ୍‌ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ଦଣ୍ଡହାର ଜାତୀୟ ଦଣ୍ଡହାର ଠାରୁ ସର୍ବନିମ୍ନ । ଲକ୍‌ଡାଉନ୍ ସମୟରେ ନାରୀ ନିର୍ଯ୍ୟାତନା ଶୀର୍ଷରେ । ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୋଲିସର ସଫଳତା ହାର ମାତ୍ର ୨୭ ପ୍ରତିଶତ, ଯାହା ଜାତୀୟସ୍ତର ଠାରୁ ସର୍ବନିମ୍ନ । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ସଂସ୍କାର ସଂପର୍କରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କୁ ବାରମ୍ବାର ମିଥ୍ୟା ସତ୍ୟପାଠ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେବଳ ସୁପ୍ରିମ୍‌କୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।
ଦେଶରେ ପୋଲିସକୁ ଚାପମୁକ୍ତ କରିବା ନେଇ ଉତରପ୍ରଦେଶ ଏବଂ ଆସାମର ତତ୍କାଳୀନ ପୋଲିସ ଡିଜି ପ୍ରକାଶ ସିଂହ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ଦେଶର ପୋଲିସର ସଂସ୍କାର ପାଇଁ ସୁପ୍ରିମ୍‌କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ଏବଂ ଗତ ୨୦୦୬ ମସିହା ସେପ୍ଟେମ୍ବର ୨୨ ତାରିଖରେ ମାନ୍ୟବର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ଓଡିଶା ସରକାରଙ୍କୁ ମଧ୍ୟ ପୋଲିସ ସଂସ୍କାର ପାଇଁ ଏକ ମାର୍ଗଦର୍ଶିକା ଜାରି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ନିର୍ଦ୍ଦେଶଗୁଡିକ ମଧ୍ୟରେ ପୋଲିସ ବିଭାଗର ତଦନ୍ତ ଏବଂ ଆଇନ୍‌ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ପୋଲିସକୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ତଦନ୍ତ ଏବଂ ଆଇନ୍‌ଶୃଙ୍ଖଳାକୁ ପୃଥକ୍ ପୃଥକ କରିବା ପାଇଁ କହିଥିଲେ । ଏହାର ଜବାବରେ ରାଜ୍ୟ
ସରକାରଙ୍କ ଗୃହ ବିଭାଗ ତା ୧୧.୪.୨୦୦୭, ତା ୨୫.୧.୨୦୦୮ ଏବଂ ତା ୧.୪.୨୦୧୩ ରିଖ ତିନି ତିନି ଥର ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ଗୃହ ବିଭାଗର ନୋଟିଫିକେସନ ନଂ – ୧୮୪୧୫, ତା ୬.୪.୨୦୦୭ ଠାରୁ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଦୁଇଟି ସହର ଭୁବନେଶ୍ୱର ଓ କଟକ କମିଶନରେଟ୍ ପୋଲିସରେ ଆଇନ୍‌ଶୃଙ୍ଖଳା ଏବଂ ତଦନ୍ତ ସଂସ୍ଥାକୁ ପୃଥକ୍ ପୃଥକ୍ କରି ଦିଆଯାଇଛି ବୋଲି ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ ।
କିନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କୌଣସି ବି ଗୋଟିଏ ଥାନାରେ ଆଇନ୍‌ଶୃଙ୍ଖଳା ଏବଂ ତଦନ୍ତକୁ ପୃଥକ୍ ପୃଥକ୍ କରିନାହାନ୍ତି ବୋଲି ସୂଚନା ଅଧିକାରରେ ଆସିଥିବା ତଥ୍ୟକୁ ଆଧାର କରି ଶ୍ରୀ ମିଶ୍ର କହିଛନ୍ତି । ଏଥିରେ ଗୋଟିଏ କଥା ସ୍ପଷ୍ଟ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କୁ ବାରମ୍ବାର ମିଛ କହିବା ସହିତ ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସ ତଥ୍ୟ ଭିତିକ ଖୁଲାସା କରିଛି । ପ୍ରଦେଶ କଂଗ୍ରେସର ଦାବି ଗୃହ ବିଭାଗର ମୁଖ୍ୟ ହିସାବରେ ମାନ୍ୟବର
ମୁଖ୍ୟମବୀ ଗୃହବିଭାଗ ସୁପ୍ରିମ୍‌କୋର୍ଟରେ ଦେଇଥିବା ମିଥ୍ୟା ସତ୍ୟପାଠ ସଂପର୍କରେ ସ୍ପଷ୍ଟୀକରଣ ରଖନ୍ତୁ । ଏହି ସା ମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

gpkandhamal

ଦୁର୍ନୀତି ବିରୁଦ୍ଧର କଡା କାର୍ଯ୍ୟାନୁଷ୍ଠାନ, ୭ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ମଙ୍ଗଳବାର ୭ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଂଟ, ଜଣେ ଡିଏସପି, ଜଣେ ଡେପୁଟି କମାଣ୍ଡାଂଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ଅନ୍ତର୍ଭୁକ୍ତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା । ଜେଲ ବିଭାଗରେ ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା ।
ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍ କରାଯାଇଛି । ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଂଚ ନେଉଥିଲା ବେଳେ ଧରା ପଡିଥିଲେ ସେ ବର୍ତମାନ ନିଲମ୍ବିତ ଅଛନ୍ତି ।
ଏକାନ୍ତ ପ୍ରିୟ ନାୟକ, କମାଣ୍ଡାଂଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଥିଲେ । ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଗୌତମ ମଲ୍ଲିକ, ଡିଏସ୍‌ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ ।
ଦେବେନ୍ଦ୍ର ନାଥ ବେହେରା, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଂଟ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି । ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ସତ୍ୟବ୍ରତ ରାଉତ, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍ ରହିଛି । ତାଙ୍କର ସାଧୁତା ସନ୍ଦେହ ଜନକ । ଦାୟୀତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତମାନ ସେ ନିଲମ୍ବିତ ଅଛନ୍ତି ।
ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍ ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ । ଦାୟୀତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତମାନ ସେ ନିଲମ୍ବିତ ଅଛନ୍ତି । ଏହି ବାଧ୍ୟତାମୂଳକ ଅବସର ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପ୍ରଶାସନରେ ସ୍ୱଚ୍ଛତା, ଉତରଦାୟୀତ୍ୱ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଂଟି ।

Umasankar Adv
Leave A Reply

Your email address will not be published.