ରାଜ୍ୟରେ ଲକଡାଉନ୍ ୩.୦ ଆରମ୍ଭ ,ସାମାନ୍ୟ ମୁକ୍ତ ତିନି ଜିଲ୍ଲା

ଆଜିଠୁ ରାଜ୍ୟରେ ଲକଡାଉନ୍ ୩.୦ ଆରମ୍ଭ ହୋଇଛି । ରାଜ୍ୟସରକାରଙ୍କ ସୂଚନାନୁସାରେ ସଂକ୍ରମଣ କମିଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି ଓ ପର୍ବପର୍ବାଣୀ ବିଶେଷତଃ ରଜ ଓ ସାବିତ୍ରୀ ସମୟ ଆସୁଥିବାରୁ ସମ୍ଭାବ୍ୟ ଭିଡକୁ ଏଡାଇବା ଲାଗି କଟକଣାକୁ ଆସନ୍ତା ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରଖାଯାଇଛି । ଆଜି ସକାଳେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ କଟକଣା ପୂର୍ବପରି ସମାନ ରହିଛି । ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜାରି ରହିବ । ତେବେ ରାଜ୍ୟର ତିନୋଟି ଜିଲ୍ଲା ପାଇଁ ଲକଡାଉନ୍ କଟକଣାରେ ସାମାନ୍ୟ କୋହଳ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି। ଏଠାରେ ଦୋକାନବଜାର ସୋମବାରରୁ ଶୁକ୍ରବାର ଯାଏ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲିପାରିବ। କୌଣସି ସ୍ଥାନରେ ମଲ୍ , ମାର୍କେଟ୍ କମ୍ପ୍ଲେକ୍ସ, ସାପ୍ତାହିକ ହାଟ, ସେଲୁନ୍, ସ୍ପା ଓ ବିଉଟି ପାର୍ଲର୍ ଖୋଲିପାରିବ ନାହିଁ। ତେବେ ଯଦି ଏଠାରେ ସଂକ୍ରମଣ ପୁଣି ବଢ଼ିବା ପରିଲକ୍ଷିତ ହୁଏ, ତେବେ ଏହି କୋହଳ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି। ତେବେ ଅନ୍ୟ ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୧ଟା ଯାଏ ଖୋଲା ରହିବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। କେବଳ ଗୋଟିକିଆ ଦୋକାନକୁ ପୂର୍ବପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ।

Leave A Reply

Your email address will not be published.