ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା । ଫଳରେ ରଥର ବିଭିନ୍ନ କାର୍ଯ୍ୟ ଶେଷ ହେବାକୁ ବସିଲାଣି । ଏହାରି ଭିତରେ ପୁର୍ବରୁ ଭଉଁରୀ ଯାତ୍ରା ଅବସରରେ ୩ରଥର ୨୧ଟି ଚକର ନିର୍ମାଣ ଶେଷ ହୋଇଥିବା ବେଳେ ଗତକାଲି ଆଉ ୫ଟି ଚକର ନିର୍ମାଣ ସରି ମୋଟ ୨୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ୩ରଥ ପାଇଁ ଆବଶ୍ୟକ ୨୧ଟି ଅଖର ନିର୍ମାଣ ଶେଷ ହୋଇଛି । ୩ରଥର ପ୍ରଥମ ଭୂଇଁ ପ୍ରସ୍ତୁତି ପାଇଁ ପ୍ରତ୍ୟେକ ରଥର ୮ଟି ଖମ୍ବି ମଧ୍ୟରୁ ୩ରଥର ୬ଟି ଲେଖାଏଁ ଖମ୍ବିର ଚଉପଟ ସରି ୨ପାଶ୍ୱର୍ରେ ସାଲକାମ ସରିଛି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ୮ଟି ଲେଖାଏଁ ସାଲଗୁଜରେ ରୂପକାର ସେବକମାନେ ସିଂହବିରାଳ ରୂପ ଖୋଦେଇ କାର‌୍ୟ୍ୟ ଜାରି ରଖିଛନ୍ତି । ଏହାପରେ ସିଂହାସନ ମୁହାଁଟି, ନାଟଗୋଡ଼ କାର୍ଯ୍ୟ ଆରମ୍ଭ ହେବ । ନାଟଗୋଡ଼ରେ ଖୋଦେଇ ହେବ ରାକ୍ଷସ ବା ଗନ୍ଧର୍ବ ରୂପ ।ଶୁକ୍ରବାର ଦିନ ରଥଖଳାରେ ମୋଟ ୧୯୨ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୬ଜଣ ମହାରଣା, ୭୨ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । 

Leave A Reply

Your email address will not be published.