ଆଜି ସମ୍ବଲପୁରରେ ଶୀତଳ ଷଷ୍ଠୀ ଉତ୍ସବ

ଆଜି ସମ୍ବଲପୁରରେ କରୋନା କଟକଣାରେ ଶୀତଳ ଷଷ୍ଠୀ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାଦେବ ଓ ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହେବେ । ସମ୍ବଲପୁରରେ ଆଜି ଦିନସାରା ଶିବାଳୟରୁ ଆରମ୍ଭ କରି ମାତା ପାର୍ବତୀଙ୍କ ଘରେ ବିଭିନ୍ନ ବିବାହର ପୂର୍ବ ନୀତି ସଂପନ୍ନ ହେବ । ସନ୍ଧ୍ୟାରେ ଆସିବ ସେହି ଦିବ୍ୟ ମୂହୁର୍ତ୍ତ ଆଉ ବର ବେଶରେ ସଜ୍ଜିତ ହୋଇ ଜଗତପିତା ମହାଦେବ ଓ ଦେବୀ ପାର୍ବତୀ ଉଭୟେ ବିବାହ ମଣ୍ଡପ ଅଭିମୁଖେ ଯିବେ । ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଦେବ ବିବାହର ବିଭିନ୍ନ ବିଧି । ଥାଳ ଉଠାରୁ ଆରମ୍ଭ କରି ପତରପେଣ୍ଡି ବା ନିର୍ବନ୍ଧ ଆଉ ସୋମବାର ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ବିଧି ବି ଶେଷ ହୋଇଛି । ବିବାହରେ ସାମିଲ ହେବାକୁ ସାକ୍ଷୀ ଗୋପିନାଥ ବି ଆସି ପହଞ୍ଚି ସାରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଦେବତା, ଗନ୍ଧର୍ବ, କିନ୍ନର ସମସ୍ତେ ପହଞ୍ଚିବାକୁ ଯାଉଛନ୍ତି । ଇତିମଧ୍ୟରେ ସମସ୍ତ କମିଟିର ପତରପେଣ୍ଡି ବା କନ୍ୟା ଅନ୍ୱେଷଣର ପର୍ବ ସାଙ୍ଗକୁ ଦେବ ନିମନ୍ତ୍ରଣ ନୀତି ବି ଶେଷ ହୋଇଛି । ଗତ ୧୧ ତାରିଖରେ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଶେଷ ହୋଇଥିବା ବେଳେ ୧୨ରେ ଗୁଆଗୁଣ୍ଡା ବି ସଂପନ୍ନ ହୋଇଥିଲା । ଆଉ ଏହି ବିବାହରେ ସାକ୍ଷୀ ହେବା ପାଇଁ ସାକ୍ଷୀ ଗୋପିନାଥ ବି ଆସି ପହଞ୍ଚି ଯାଇଛନ୍ତି ।

Leave A Reply

Your email address will not be published.