୧୯୮୩ରେ ଆଜିର ଦିନରେ ହୋଇଥିଲା ବିଶ୍ୱକପ୍ ଚାମ୍ପିଅନ

ମୁମ୍ବାଇ : ୧୯୮୩ ମସିହା ଜୁନ ୨୫ ତାରିଖ । ଭାରତୀୟ କ୍ରୀଡ଼ା ପାଇଁ ଏକ ସ୍ମରଣୀୟ ଦିବସ । ୩୮ ବର୍ଷ ପୂର୍ବରୁ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ବିଶ୍ୱକପ ଚାମ୍ପିଅନ ହୋଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଫାଇନାଲ ମୁକାବିଲାରେ ଭାରତ ୪୩ ରନ୍‌ରେ ବିଜୟୀ ହେବା ସହିତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଭାରତ ଚାମ୍ପିଅନ ହେବା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ତଥା ୱେଷ୍ଟଇଣ୍ଡି ଚକିତ ହୋଇଯାଇଥିଲେ । କ୍ରିକେଟର ପ୍ରଥମ ବିଶ୍ୱକପ (୧୯୭୫) ଓ ଦ୍ୱିତୀୟ ବିଶ୍ୱକପ (୧୯୭୯)ରେ ୱେଷ୍ଟଇଣ୍ଡିଜ ଚାମ୍ପିଅନ ହୋଇଥିଲା । ତୃତୀୟ ଥର ପାଇଁ ମଧ୍ୟ ଆଶା ରଖିଥିଲା । କିନ୍ତୁ କପିଳଦେବଙ୍କ ଟିମ ଏହି ସ୍ୱପ୍ନକୁ ପୂରା ହେବାକୁ ଦେଇ ନଥିଲେ । ୱେଷ୍ଟଇଣ୍ଡିଜ ଟସ ଜଣି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତ ୫୪.୪ ଓଭରରେ କେବଳ ୧୮୩ ରନ କରିଥିଲା । ସେହି ସମୟରେ ଦିନିକିଆ ଅନ୍ତର୍ଜାତୀୟରେ ୬୦ ଓଭର ମ୍ୟାଚ ଖେଳାଯାଉଥିଲା । ଭାରତ ପକ୍ଷରୁ କୃଷ୍ଣମଚାରୀ ଶ୍ରୀକାନ୍ତ ଦଳ ପାଇଁ ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ । ଏହା ଥିଲା ଫାଇନାଲ ମୁକାବିଲାର ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୧୯୮୩ ବିଶ୍ୱକପ ବିଜୟର ଆଶା କରି ନଥିଲା ଭାରତ । ମାତ୍ର ଅଧିନାୟକ କପିଳ ଦେବଙ୍କ ପ୍ରେରଣାଦାୟକ ପରାମର୍ଶ ଟ୍ରଫି ଜିତିବାରେ ସହାୟକ ହୋଇଥିଲା ।  ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲରେ କପିଳ ଦେବଙ୍କ ନେତୃତ୍ୱରେ ଟିମ ୧୮୩ ରନରେ ଅଲଆଉଟ ହେବା ପରେ ୨ ଥର ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ୧୪୦ ରନରେ ଆଉଟ କରିଥିଲା ।

Leave A Reply

Your email address will not be published.