ଏକାମ୍ର କ୍ଷେତ୍ରର ‘ଦେବୀପାଦଧରା’ ପାଇଁ ଏନଏମଏ ଚିଠା ବାଇଲ’

ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବାବେଳେ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ଆଜି ସହସ୍ରଲିଙ୍ଗ ଟାଙ୍କି ବା ଦେବୀପାଦଧରା ପୋଖରୀର ସୁରକ୍ଷା ନିମନ୍ତେ ଏନଏମଏ ଐତିହ୍ୟ ଚିଠା ବାଇଲ’ ଜାରି କରିଛନ୍ତି। ଜାତୀୟ ଐତିହ୍ୟ ପ୍ରାଧିକରଣ ଏହି ଚିଠା ବାଇଲ’ ଜାରି ସହ ଆସନ୍ତା ଜୁଲାଇ ୧୫ତାରିଖ ସୁଦ୍ଧା ଜନସାଧାରଣଙ୍କଠୁ ଆପତ୍ତି-ଅଭିଯୋଗ ଲୋଡ଼ିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କ ଦ୍ୱାରା ସହସ୍ରଲିଙ୍ଗ ଟାଙ୍କି ପାଇଁ ଐତିହ୍ୟ ଚିଠା ବାଇଲ’ ଜାରି କରାଯାଇଛି। ଯାହା ଦ୍ୱାରା ଏହି ଐତିହ୍ୟର ସଂରକ୍ଷଣ ପାଇଁ ଏହାକୁ ଜାତୀୟ ସଂରକ୍ଷିତ ଐତିହ୍ୟ ବର୍ଗରେ ସାମିଲ କରାଯାଇ ଏହାକୁ ସମ୍ପୂର୍ଣ୍ଣ କଟକଣାଯୁକ୍ତ ଐତିହ୍ୟ ଅଂଚଳ କରାଯିବ। ଏହି ବାଇଲ’ ଗେଜେଟ୍ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇବା ଦିନଠୁ ହିଁ ଏହା କାର୍ଯ୍ୟକ୍ଷମ ହେବ। ସୂଚନାଯୋଗ୍ୟ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଦ୍ୱାରା ୧୯୬୪ ମସିହାରେ ଏହି ଦେବୀପାଦହରା ବା ସହସ୍ରଲିଙ୍ଗ ଟାଙ୍କିର ସଂରକ୍ଷଣ ଓ ମରାମତି ଦାୟିତ୍ୱ ହାତକୁ ନିଆଯାଇଥିଲା। ୨୦୦୬-୦୭ ଓ ୨୦୧୦ ମସିହାରେ ଦୁଇଥର ଏହି ପୋଖରୀର ସଂରକ୍ଷଣ କାର୍ଯ୍ୟ ମଧ୍ୟ କରାଯାଇଛି। ଏହି ପୋଖରୀରେ ୧୦୮ଟି ଛୋଟ ଓ ବଡ଼ ଶିବଲିଙ୍ଗ ରହିଛନ୍ତି ଯାହାକି ଶୀତଦିନେ ପୋଖରୀର ପାଣି ହ୍ରାସ ହେଲେ ଦୃଶ୍ୟମାନ ହୋଇଥାଏ। ଏହି ପୋଖରୀ ସହ ପୌରାଣିକ ଗାଥା ମଧ୍ୟ ଜଡ଼ିତ ଥିବା ବିଶ୍ୱାସ କରାଯାଏ।
ଶ୍ରୀଲିଙ୍ଗରାଜ ମନ୍ଦିରର ସମ୍ମୁଖ ଭାଗରେ ଥିବା ଏହି ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବାବେଳେ ଏହାକୁ ଜାତୀୟ ଐତିହ୍ୟ ଚିଠା ବାଇଲ’ରେ ଅନ୍ତର୍ଭୁକ୍ତ କରାଯିବା ଦ୍ୱାରା ତା’ର ୧୦୦ମିଟର ଦୂରତ୍ୱ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିନାନୁମତିରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ସମ୍ଭବପର ହେବନାହିଁ। ସରକାର କିମ୍ବା ଘରୋଇ ସଂସ୍ଥା ଅବା ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ଭବପର ନୁହେଁ। ଏହି ପୋଖରୀ ସମ୍ପୂର୍ଣ୍ଣ ଭାବେ କଟକଣାଯୁକ୍ତ ଅଂଚଳ ଭାବେ ବିବେଚିତ ହେବ । ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କ ଦ୍ୱାରା ସଂରକ୍ଷିତ ଐତିହ୍ୟ ମାନ୍ୟତା ପାଇବ ।

Leave A Reply

Your email address will not be published.