ଟିକାର ଡବଲ ଡୋଜ୍‌ ନେଇଥିବା ବୃଦ୍ଧା ଡେଲ୍ଟା ପ୍ଲସ ଭାରିଏଣ୍ଟରେ ଆକ୍ରାନ୍ତ

ଜୟପୁର: କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟକୁ ନେଇ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଏସବୁ ଭିତରେ ରାଜସ୍ଥାନରେ ପ୍ରଥମ ଡେଲ୍ଟା ପ୍ଲସ ଭାରିଏଣ୍ଟ କେସ୍‌ ସାମ୍ନାକୁ ଆସିଛି। କରୋନା ଟିକାର ଡବଲ ଡୋଜ୍‌ ନେଇ ସାରିଥିବା ଜଣେ ୬୫ ବର୍ଷୀୟ ମହିଳା ଏହି ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ମହିଳା ଜଣଙ୍କ ଏବେ ସୁସ୍ଥ ହୋଇ ସାରିଥିବା ପ୍ରଶାସନ କହିଛି। ବିକାନେରର ପିଏନବି ହସ୍ପିଟାଲର ସୁପରିନଟେଣ୍ଡଣ୍ଟ ପରମେନ୍ଦର ସିରୋହି କହିଛନ୍ତି, ମେ’ ୩୧ରେ ମହିଳାଙ୍କ ନମୁନା ଏନଆଇଭିକୁ ପଠା ଯାଇଥିଲା। ଏହାର ୨୫ ଦିନ ପରେ ରାଜ୍ୟ ସରକାର ପରୀକ୍ଷା ରିପୋର୍ଟ ପାଇଥିଲେ। ଏହାପରେ ଏହି ରିପୋର୍ଟକୁ ବିକାନେର ଜିଲ୍ଲାପାଳଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଠାଯାଇଥିଲା। ଏନଆଇଭିରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ନୂଆ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ବିକାନେର ସିଏମଏଚ୍‌ଓ ଓପି ଚହର କହିଛନ୍ତି, ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବା ପରେ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ତାଙ୍କ ଆଖପାଖ ଅଞ୍ଚଳର ଲୋକଙ୍କୁ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଟିମ ପଠାଯାଇଛି। ମାସକ ମଧ୍ୟରେ ଉକ୍ତ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ଲୋକଙ୍କର ଆଉ ଥରେ ଟେଷ୍ଟ କରାଯିବ।

Leave A Reply

Your email address will not be published.