‘ଅଭଡ଼ା’ ଯୋଜନା ପାଇଁ ରୟାଲିଟି ଛାଡ଼

ଓଡିଶା ସମାଚାର (ମିନତୀ ସାନ) : ‘ଅଭଡ଼ା’ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ସହଜ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ(ଖଣ୍ଡାଲାଇଟ୍‌) ନିମନ୍ତେ ରୟାଲିଟି ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହରରେ ବିକଶିତ କରିବାରେ ଏହା ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଭଡ଼ା ଯୋଜନା ପାଇଁ ଖଣିଜ ପଦାର୍ଥ ଉପରୁ ରୟାଲଟି ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଭଡ଼ା ଯୋଜନା ଅନ୍ତର୍ଗତ ପ୍ରକଳ୍ପ ମାଧ୍ୟମରେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୨୦୧୯ ଡିସେମ୍ବରରେ ୬ଟି ଖଣ୍ଡାଲାଇଟ୍ ଖଣିଜ ବ୍ଲକକୁ ଓଡ଼ିଶା ଖଣି ନିଗମ(ଓଏମସି) ନିମନ୍ତେ ସଂରକ୍ଷଣ କରିଥିଲେ। ଏସବୁ ଖଣିଜ ବ୍ଲକ ଯାଜପୁର ଜିଲ୍ଲାର ଚାନ୍ଦିଆ,ଶୁଖୁଆପଡ଼ା, ତେଲିଗଡ଼, କଟକ ଜିଲ୍ଲାର ଗୋବିନ୍ଦପୁର, ଖୋର୍ଦ୍ଧା ଜିଲ୍ଲାର କୁରୁମପଡ଼ା , ନରଣଗଡ଼ର କୁଣ୍ଡାକୁଣ୍ଡି କୁଣ୍ଡା ପଥର ଖଣି ନିମନ୍ତେ ସଂରକ୍ଷଣ କରାଯାଇଥିଲା। ସେଥିରୁ ନରଣଗଡ଼ଠାରେ ଥିବା ବ୍ଲକକୁ ଓଡ଼ିଶା ଖଣି ନିଗମକୁ ଖଣି କାର୍ଯ୍ୟ ନିମନ୍ତେ ଲିଜ୍ ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ଏକ ନିଷ୍ପତ୍ତିକ୍ରମରେ ‘ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ(ଓସ୍ୱାନ୍‌) ପ୍ରକଳ୍ପର ଅପଗ୍ରେଡେସନକୁ ଅନୁମୋଦନ କରିଛନ୍ତି। ଏହି ଅପଗ୍ରେଡେସନରେ ରାଜ୍ୟ ମୁଖ୍ୟାଳୟ, ୩୦ଟି ଜିଲ୍ଲା ମୁଖ୍ୟାଳୟ, ୩୧୪ ବ୍ଲକ ମୁଖ୍ୟାଳୟର ବ୍ୟାଣ୍ଡୱି୍‌ଥ୍ ବୃଦ୍ଧି, ଲୋଡ୍ ବଣ୍ଟନ ଓ ସଂଯୋଗର ଉଚ୍ଚ ଉପଲବ୍ଧତା ପାଇଁ ସେକେଣ୍ଡାରୀ ବ୍ୟାଣ୍ଡୱିଡଥ ଯୋଗାଇବାର ଯୋଜନା ରହିଛି। ଓସ୍ୱାନର ଅପଗ୍ରେଡେସନ ସହିତ ୫ବର୍ଷ ପାଇଁ ଏହାର ଅପରେସନ ଓ ରକ୍ଷଣାବେକ୍ଷଣ ନିମନ୍ତେ ୩୩୨.୦୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.