ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ନଟିଂହାମ୍‌, ଅଗଷ୍ଟ ୦୫ : ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଛି । ଇଂଲଣ୍ଡକୁ ପ୍ରଥମ ପାଳିରେ ଭାରତ ୧୮୩ ରନ୍‌ରେ ଅଲଆଉଟ କରିବା ପରେ ବ୍ୟାଟିଂ ଜାରି ରଖିଛି । ତେବେ ପ୍ରଥମ ଦିନ ଖେଳ ଶେଷ ବେଳକୁ ଭାରତର ଓପନର ରୋହିତ ଶର୍ମା ଓ କେଏଲ୍ ରାହୁଲ ୯-୯ ରନ୍ କରିଛନ୍ତି । ଦଳର ସ୍କୋର ୨୧ ରନ୍‌ରେ ପହଂଚଛି । ଇଂଲଣ୍ଡ ତୁଳନାରେ ଭାରତ ୧୬୨ ରନ୍ ପଛରେ ଅଛି । ଆଜି ଦ୍ୱିତୀୟ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ ।  ଟିମ୍ ଇଣ୍ଡିଆରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରିଥିବାରୁ ପ୍ରଶଂସନୀୟ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ଦୁର୍ଗକୁ ଭୁଶୁଡ଼ାଇ ଦେଇଛନ୍ତି ।  ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ ବୁମରାଙ୍କୁ ସମ୍ମୁଖୀନ ହୋଇପାରି ନାହାନ୍ତି । ବୁମରା ୨୦.୪ ଓଭର ବୋଲିଂ କରି ୪ଟି ମେଡେନ ନେଇଥିଲେ । ସେ ୪୬ ରନ୍ ଦେବା ସହିତ ୪ଟି ୱିକେଟ ମଧ୍ୟ ନେଇଥିଲେ । ବୁମରାଙ୍କ ଭଳି ଭାରତର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ସାମି ୧୭ ଓଭର ବୋଲିଂ କରି ୩ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡ ୧୮୩ ରନ୍‌ରେ ଆଉଟ ହୋଇଯାଇଥିଲା । ଅଧିନାୟକ ଜୋଏ ରୁଟ (୬୪)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଭଲ ସ୍କୋର କରିବାରେ ସଫଳ ହୋଇପାରି ନଥିଲେ । ଚାରି ଜଣ ଖେଳାଳି (ରୋରି ବୁରନ୍‌ସ, ଲରେନ୍ସ, ଜୋସ ବଟଲର ଓ ରବିନସନ) ଖାତା ଖୋଲି ନଥିଲେ । ଷ୍ଟୁଆର୍ଟ ବ୍ରଡ ୪ ରନ୍ ଓ ଜେମ୍ସ ଆଣ୍ଡରସନ ୧ ରନ୍ କରିଥିଲେ । 

Leave A Reply

Your email address will not be published.