ଅରୁଣ ରାୟଙ୍କୁ ଡିଜି ପାହ୍ୟା

ଭୁବନେଶ୍ୱର : ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହାସହିତ ଓଡ଼ିଶାରେ ଡିଜି ପାହ୍ୟାରେ ଅବସ୍ଥାପିତ ଅଫିସରଙ୍କ ସଂଖ୍ୟା ୬ରେ ପହଂଚିଛି। ତେବେ ଡିଜି ପାହ୍ୟାରେ ମୋଟ ୪ ଜଣ ଅଫିସରଙ୍କୁ ନିଯୁକ୍ତି ଦେବାର ନିୟମ ଥିଲେ ମଧ୍ୟ ଆଇପିଏସ ତୁଷ୍ଟିକରଣ ନୀତିରେ ସରକାର ଏବେ ଅଧିକ ୨ଟି ଡିଜି ପାହ୍ୟାର ପଦବୀ ସୃଷ୍ଟି କରିଥିବା ଜଣାପଡ଼ିଛି। ଆଇଏଏସ ଅଫିସରମାନଙ୍କୁ ମଧ୍ୟ ଅନୁରୂପ ପଦୋନ୍ନତି ଦେଇ ତୁଷ୍ଟୀକରଣ କରିଛନ୍ତି। ସାଧରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ୍ ତଥା ଏଡିଜି(କମ୍ୟୁନିକେସନ) ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିିଳିଛି। ସେ ଯେଉଁଦିନଠୁ ଏହି ପଦୋନ୍ନତିପ୍ରାପ୍ତ ପଦବୀ ଗ୍ରହଣ କରିବେ ସେବେଠୁ ସେ ଡିଜି ପାହ୍ୟାର ସୁବିଧାସୁଯୋଗ ପାଇବେ । ତେବେ ସେ ଡିିଜି ପାହ୍ୟାରେ କେଉଁଠି କାର୍ଯ୍ୟ କରିବେ ତାହା ଗୃହ ବିଭାଗ ନିଷ୍ପତ୍ତି ନେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ତେବେ ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ୍ ଶ୍ରୀ ରାୟଙ୍କୁ ଏଡିଜି କମ୍ୟୁନିକେସନ୍ ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ଉପରେ ସେହି ବ୍ୟାଚର(୧୯୮୮) ଆଇପିଏସ ବିନୟାନନ୍ଦ ଝା ଥିବା ସତ୍ତ୍ୱେ ସରକାର ତାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇନାହାନ୍ତି । ଯଦିଓ ଶ୍ରୀ ଝା’ଙ୍କ ବିରୁଦ୍ଧରେ ସେଭଳି କୌଣସି ସଙ୍ଗୀନ ଅଭିଯୋଗ ନଥିବା ଆଇପିଏସ ମହଲରୁ ସୂଚନା ମିଳିଛି। ଏବେ ରାଜ୍ୟରେ ଡିଜିପି ଅଭୟଙ୍କୁ ବାଦ୍ ଦେଲେ ୧୯୮୬ ବ୍ୟାଚର ବିକେ ଶର୍ମା, ୧୯୮୮ ବ୍ୟାଚ୍ ଆଇପିଏସ ମନୋଜ କୁମାର ଛାବ୍ରା, ଏମ୍ . ଅକ୍ଷୟ ଓ ସନ୍ତୋଷ କୁମାର ଉପାଧ୍ୟାୟ ଡିଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ୨ଟି କ୍ୟାଡ଼ର ଓ ୨ଟି ଏକ୍ସ-କ୍ୟାଡ଼ର ପଦବୀ ଥିବାବେଳେ ସରକାର ଇତିମଧ୍ୟରେ ୨ଟି ଅଧିକ ଡିଜି ପଦବୀ ସୃଷ୍ଟି କରିସାରିଛନ୍ତି । ଅବଶ୍ୟ ଏହି ଦୁଇ ପଦବୀକୁ ଏପର୍ଯ୍ୟନ୍ତ ୟୁପିଏସସି ଅନୁମୋଦନ ମିଳିନଥିବା ଗୃହ ବିଭାଗ ସୂତ୍ରରୁ ସୂଚନା ମିଳିଛି ।ରାଜ୍ୟରେ ଆଇପିଏସ୍ ଏଷ୍ଟାବ୍ଲିସମେଣ୍ଟ ପରିଚାଳନାରେ ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଏବେ ଏଡିଜି ପାହ୍ୟାର ଦୁଇଜଣ ବରିଷ୍ଠ ଆଇପିଏସ୍ ରୀତୁ ଅରୋରା ଓ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରିବାକୁ ପଡ଼ୁଛି। ଏହି ଦୁଇ ଅଫିସର ବିନା କାର୍ଯ୍ୟରେ ଦରମା ନେଉଛନ୍ତି । ଅଥଚ ଏପଟେ ନିଜ ପସନ୍ଦର ଅଫିସରଙ୍କୁ ତୁଷ୍ଟୀକରଣ ପାଇଁ ସରକାର ବେଧଡ଼କ ଡିଜି ପାହ୍ୟାର ଅଫିସରଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗିଥିବା ଜଣାପଡ଼ିଛି ।

Leave A Reply

Your email address will not be published.