ରାଜଧାନୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ,

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ମଞ୍ଚେଶ୍ୱର ଥାନା ମୁଣ୍ଡାସାହିରେ ଘଟିଛି ଏହି ସଂଘର୍ଷ। ଏଥିରେ ୫ରୁ ୬ ଜଣ ଆହତ ହୋଇଛନ୍ତି। ଗୁରୁବାରର ଗଣ୍ଡଗୋଳକୁ ନେଇ ଆଜିର ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା କୁହାଯାଉଛି। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ଓ କାଠ ଫାଳିଆ ଧରି ଲଙ୍କାକାଣ୍ଡ ଭିଆଇଥିଲେ। ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଉ ଏକ ଗୋଷ୍ଠୀ ପଳାଶୁଣିଠାରେ ଏନ୍ଏଚ୍ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଦୀର୍ଘ ସମୟ ପରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ସୂଚନାରୁ ପ୍ରକାଶ, କିଛି ଦିନ ତଳେ ମାଷ୍ଟର କ୍ୟାଣ୍ଟିନ୍‌ ଛକ୍‌ରେ ଗୋଟିଏ ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ଆକ୍ରମଣ କରିଥିଲେ। ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ନିଶା କାରବାରକୁ ନେଇ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.