ନୂଆଦିଲ୍ଲୀ, ଅଗଷ୍ଟ ୧୨ : ରାହୁଲ ଗାନ୍ଧୀଙ୍କର ଟୁଇଟର ଆକାଉଣ୍ଟ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯିବା ପରେ କଂଗ୍ରେସ ବୁଧବାର ବିଳମ୍ବିତ ରାତିରେ ଦାବି କରିଛି ଯେ, ରଣଦୀପ ସୁରଜେୱାଲ ସମେତ ୫ ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପାର୍ଟି କହିଛି ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସଂପାଦକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକନ, ଲୋକସଭାରେ ପାର୍ଟିର ସଚେତକ ମନିକମ ଟାଗୋର, ଆସାମ ପ୍ରଭାରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତଥା ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟୁଇଟର ଆକାଉଣ୍ଟ ନିଲମ୍ବିତ କରି ଦିଆଯାଇଛି । ଏହା ପୂର୍ବରୁ ଟୁଇଟର ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ନିଲମ୍ବନ ହେବା ନେଇ ଦାବିକୁ ଖାରଜ କରିଥିଲା । କଂଗ୍ରେସ ନେତା ତଥା ପୂର୍ବତନ ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ସପ୍ତାହରେ କଥିତ ଦୁଷ୍କର୍ମ ଏବଂ ହତ୍ୟାର ଶିକାରୀ ୯ ବର୍ଷ ବୟସର ଶିଶୁ କନ୍ୟାର ପରିବାର ସହିତ ଫଟୋ ଉଠାଇଥିଲେ । ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ରାହୁଲ ଗାନ୍ଧୀଙ୍କ ଟୁଇଟର ସଂପର୍କରେ ଅବଗତ ହୋଇଥିଲେ ଏବଂ ଟୁଇଟରକୁ ନାବାଳିକା ପୀଡିତାର ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ ଲାଗି କଂଗ୍ରେସ ନେତାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ଲକ କରି ଦିଆଯାଇଥିଲା । ଶନିବାର ପାର୍ଟି ଦାବି କରିଥିଲା ଯେ, ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ଅସ୍ଥାୟୀ ଭାବେ ନିଲମ୍ବିତ କରିଦିଆଯାଇଥିଲା । କିନ୍ତୁ ମାଇକ୍ରୋବ୍ଲଗିଂ ସାଇଟ ଏହି ଦାବିକୁ ଖଣ୍ଡନ କରିଥିଲା । ଏହି ଆକାଉଣ୍ଟ ଏବେବି ସେବାରେ ଅଛି ।