ବିମାନରେ ଚଉକିକୁ ନେଇ ଖଣ୍ଡଯୁଦ୍ଧ

ୱାଶିଂଟନ, ଅଗଷ୍ଟ ୧୨ : ବିମାନରେ ଚଉକିକୁ ନେଇ ଖଣ୍ଡଯୁଦ୍ଧ ହୋଇଛି । ଉଭୟ ମା’ ଓ ଝିଅ ମିଳିତ ଭାବରେ ଜଣେ ଯାତ୍ରୀଙ୍କ ସହିତ ଲଢ଼େଇ କରିଛନ୍ତି । ଏହାକୁ ନେଇ ଅନ୍ୟ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି । ଆମେରିକାରେ ସାଉଥୱେଷ୍ଟ ଏୟାରଲାଇନ୍ସର ବିମାନରେ ମା’-ଝିଅ ସିଟକୁ ନେଇ ଏହି ଲଢ଼େଇ କରିଛନ୍ତି । ଲଢ଼େଇ ଯୋଗୁଁ ବିମାନ ଏକ ଘଣ୍ଟା ପର୍ଯ୍ୟନ୍ତ ବିମାନବନ୍ଦରରେ ଅଟକି ରହିଥିଲା । ମା’-ଝିଅଙ୍କର ଏହି ଲଢ଼େଇର ଦୃଶ୍ୟକୁ ଜଣେ ଯାତ୍ରୀ ମୋବାଇଲରେ ରେକର୍ଡିଂ କରିଥିଲା । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କାଲିଫୋର୍ଣ୍ଣିଆର ସେକ୍ରାମେଣ୍ଟ ବିମାନବନ୍ଦରରୁ ମା’-ଝି ଯାତ୍ରା କରିବା ପାଇଁ ସାଉଥୱେଷ୍ଟ ଏୟାରଲାଇନ୍ସରେ ଚଢ଼ିଥିଲେ । ଉଭୟ ବିମାନକୁ ବିଳମ୍ବରେ ପହଂଚିଥିଲେ । ଏହା ପରେ ଅନ୍ୟ ଯାତ୍ରୀଙ୍କୁ ସିଟ ଛାଡ଼ିବା ପାଇଁ କହିଥିଲେ । ଯେତେବେଳେ ଯାତ୍ରୀ ଜଣକ ସେମାନଙ୍କର ଦାବିକୁ ଗୁରୁତ୍ୱ ଦେଇ ନଥିଲେ, ମା’-ଝିଅ ଉତ୍ତେଜିତ ହୋଇଥିଲେ ।   ଦେଖୁ ଦେଖୁ ବିମାନରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଜଣେ କ୍ରୁ ମେମ୍ବର ଉଭୟଙ୍କୁ ବୁଝାଇବାରେ ଲାଗିଲେ । କିନ୍ତୁ ମା’-ଝିଅ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ସିଟକୁ ନେଇ ଜିଦରେ ଥିବା ମା’-ଝିଅ ଦୀର୍ଘ ସମୟ ଧରି ଚିତ୍କାର କରୁଥିଲେ । ଯାତ୍ରୀମାନଙ୍କୁ ଧମକ ଦେଉଥିଲେ । ଏହି କାରଣରୁ ବିମାନ ବିଳମ୍ବରେ ଉଡ଼ିଥିଲା । 

Leave A Reply

Your email address will not be published.