ଭିସୁଟ୍ ରାଗିଂ ଘଟଣା : ୧୨ଜଣ ଛାତ୍ରଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ

ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱବିଦ୍ୟାଳୟ । ଦୁଇ ଛାତ୍ରଙ୍କୁ ଦୁଇ ବର୍ଷ ଏବଂ ୧୦ ଛାତ୍ରଙ୍କୁ ବର୍ଷକ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି । ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର ବିଟେକ ଛାତ୍ର ନିର୍ଯାତନାର ଶିକାର ହୋଇଥିଲେ । ଏହାପରେ ଛାତ୍ରଙ୍କ ପରିବାର ଲୋକେ ର୍ୟାଗିଂ ଅଭିଯୋଗ ଆଣିଥିଲେ । କୁଳପତି ଏ ନେଇ ଏକ ତଦନ୍ତ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ କମିଟିର ରିପୋର୍ଟ ଆଧାରରେ କୁଳପତି ଦୋଷୀ ଛାତ୍ରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

gpkandhamal

ସୂଚନା ଅନୁସାରେ, ଗତ ୨୨ ତାରଖ ଦିନ ପୁଲହ ହଷ୍ଟେଲରେ ରହୁଥିବା ଭିସୁଟ୍‌ ଇଲେକ୍ଟ୍ରିକାଲ ବିଭାଗର ଜଣେ ଛାତ୍ରଙ୍କୁ ତାଙ୍କ ଜଣେ ସହପାଠୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଜଣେ ଛାତ୍ରୀଙ୍କୁ କେନ୍ଦ୍ର କରି ଏହି ଆକ୍ରମଣ ଘଟଣା ଘଟିଥିବା ଜଣାପଡ଼ିଛି । ଆହତ ଛାତ୍ରଙ୍କୁ ଗତ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ, ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ରିପୋର୍ଟ ମିଳିବା ପରେ ଘଟଣାରେ ସଂପୃକ୍ତ ଛାତ୍ରମାନଙ୍କୁ ଭିସୁଟ୍ କ୍ୟାମ୍ପସ ଛାଡ଼ିବାକୁ କୁହାଯାଇଥିଲା । ତେବେ, ପୂ୍ର୍ଣ୍ଣାଂଗ ରିପୋର୍ଟ ଆସିବା ପରେ କମିଟି ଘଟଣାରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲା । ଛାତ୍ର ଶୁଭଜିତ ଆଇଚ୍‌ ଏବଂ ସୌରଭ କୁମାର ନାଏକ ପ୍ରଥମେ ଗଣ୍ଡଗୋଳ ଆରମ୍ଭ କରିବା ସହିତ ସହପାଠୀଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କୁ ୨ ବର୍ଷ ପାଇଁ ଭିସୁଟ୍‌ରୁ ବହିଷ୍କାର କରାଯାଇଛି । ସେମାନେ ପ୍ରଥମେ ଆକ୍ରମଣ କରିବା ପରେ ଅନ୍ତିମ ବର୍ଷର ଅନ୍ୟ ଛାତ୍ରମାନଙ୍କୁ ଡାକି ପୁଣି ସଂଘବଦ୍ଧ ଭାବେ ସଂପୃକ୍ତ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ତେଣୁ,ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅବିନାଶ ଦାସ, ଅମ୍ରିତ ମହାନ୍ତି, ଶୁଭମ ଶେଖର ଆଚାର୍ଯ୍ୟ, ନିହାର ରଂଜନ ସାହୁ, ଅବିନାଶ ମହାନ୍ତି, ହୃଷିକେଶ ସେଠୀ, ଅକାଶ ମହାନ୍ତି, ନିଶାନ୍ତ କୁମାର ରାୟ, ହ୍ରିତେଶ କୁମାର ଭୋଇ ଏବଂ ପ୍ରକାଶ ଘଡ଼େଇଙ୍କୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଥିବା ଭିସୁଟ ସୂତ୍ରରୁ ପ୍ରକାଶ ।

Umasankar Adv
Leave A Reply

Your email address will not be published.