ନୂଆଦିଲ୍ଲୀ, ଅକ୍ଟୋବର ୧୨ : ପୋଲିସର କାର୍ଯ୍ୟକଳାପକୁ ନେଇ ଆଜିର ଦିନରେ ଅଧିକାଂଶ ଲୋକଙ୍କର ସନ୍ଦେହ ଥାଏ। କିନ୍ତୁ ଭଲ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ରାଜସ୍ଥାନରୁ ଦିଲ୍ଲୀ ଆସିଥିବା ଜଣେ ବ୍ୟକ୍ତି ନିଜର ବ୍ୟାଗ୍କୁ ଅଟୋରେ ଛାଡ଼ି ଯାଇଥିଲେ। ବ୍ୟାଗରେ ଅଢ଼େଇ ଲକ୍ଷ ଟଙ୍କା ଓ ଡେବିଟ/କ୍ରେଡିଟ କାର୍ଡ ଥିଲା। ପୀଡିତ ପୋଲିସକୁ କଲ କରିଥିଲେ। ପୋଲିସ ଅଳ୍ପ ସମୟ ମଧ୍ୟରେ ଅଟୋର ଖବର ସଂଗ୍ରହ କରିଥିଲା ଏବଂ ଟଙ୍କା ଫେରାଇ ଦେଇଥିଲା।
ନୂଆଦିଲ୍ଲୀର ଡିସିପି ଦୀପକ ଯାଦବ କହିଛନ୍ତି ଯେ, ରାଜସ୍ଥାନର କୋଟାରୁ ଦୀପକ ଶର୍ମା ନାମରେ ଜଣେ ବ୍ୟକ୍ତି ଅକ୍ଟୋବର ୭ ତାରିଖ ସନ୍ଧ୍ୟାରେ ପୋଲିସକୁ ସୂଚନା ଦେଇଥିଲେ ଯେ, ସେ ଯେତବେଳେ ପାହାଡ଼ଗଂଜରୁ ଅଟୋ ନେଇ ବଙ୍ଗଲା ସାହିବ ଗୁରୁଦ୍ବାର ଯାଉଥିଲେ, ସେହି ସମୟରେ ତାଙ୍କର ବ୍ୟାଗ ଏକ ଅଟୋରେ ଛାଡ଼ି ଯାଇଥିଲେ। ତାଙ୍କର ବ୍ୟାଗରେ ଅଢ଼େଇ ଲକ୍ଷ ଟଙ୍କା ଥିଲା। ପର୍ସରେ ଡେବିଟ/କ୍ରେଡିଟ କାର୍ଡ ଓ ଅନ୍ୟ କିଛି ଜିନିଷ ଥିଲା। ତରତର ହୋଇ ଯିବା କାରଣରୁ ସେ ଅଟୋ ନମ୍ବର ନୋଟ କରିପାରି ନଥିଲେ। ସେ କିନ୍ତୁ ଅଟୋ ଚାଳକଙ୍କ ନାମ ଓ ଠିକଣା ଜାଣିଥିଲେ।
ଅଟୋରେ ଟଙ୍କା ଛାଡ଼ି ଆସିବା ନେଇ ଅବଗତ ହେବା ପରେ ରାଜସ୍ଥାନର ବ୍ୟକ୍ତି ଜଣକ ଦିଲ୍ଲୀ ପୋଲିସ ସହିତ ସଂପର୍କ କରିଥିଲେ। ପୋଲିସ ତଦନ୍ତରୁ ଜାଣିବାକୁ ପାଇଲା ଯେ, ମହମ୍ମଦ ଅସଲମ ନାଁରେ ଜଣେ ବ୍ୟକ୍ତିଙ୍କ ନାଁରେ ଅଟୋ ଅଛି। ପୋଲିସ ଅସଲମର ଘର ଖୋଜିଥିଲା। ଏହା ପରେ ଏଟିଓ ଇନସପ୍ଟେର ସୁଶୀଲ କୁମାର ପୋଲିସର ସହଯୋଗ କରିଥିଲେ, ଯିଏକି ତାଙ୍କର ପରିଚିତ ଥିଲେ। ତାଙ୍କର ସାହାଯ୍ୟରେ ପୋଲିସ ଅସଲମ ନିକଟକୁ ପହଂଚି ପାରିଥିଲେ। ଅଟୋ ଡ୍ରାଇଭର କହିଥିଲେ, ବ୍ୟାଗ ମୋ ପାଖରେ ଅଛି।