ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ନଭେମ୍ବର ୩୦: ଲଘୁଚାପର ପ୍ରଭାବରେ ଡିସେମ୍ବର ୩ ରୁ ଓଡିଶାରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏବେ ଚାଷୀ ମୁଣ୍ଡରେ ଚଡକ ପଡିଛି । ସମ୍ଭାବ୍ୟ ଲଘୁଚାପ ଚାଷୀକୁଳ ଚିନ୍ତା ବଢ଼ାଇ ଦେଇଛି । ବିଲରେ ପାଚିଲା ଧାନ ଲହଡି ଭାଙ୍ଗୁଛି । ଗତ ୨ଦିନ ହେବ ଚାଷୀମାନେ ପାଚିଲା ଓ ଦରପାଚିଲା ଧାନକୁ କାଟି ଖଳାକୁ ବୋହିବାରେ ଲାଗିଛନ୍ତି । ଚାଷୀମାନଙ୍କର ନିଦ ହଜି ଯାଇଛି । କେବଳ ଧାନ ନୁହେଁ ବିରି , ମୁଗ , ଚିନାବାଦାମ , ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ ବର୍ଷା ପବନ ମାଡ଼ରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ କିଛିଦିନ ତଳେ ହୋଇଥିବା ଲଘୁଚାପ ବର୍ଷାର ଓଦା ଶୁଖୁ ନ ଥିବା ବେଳେ ଆଉ ଏକ ଲଘୁଚାପ ପରିସ୍ଥିତିକୁ ଆହୁରି ଜଟିଳ କରିବା ଆଶଙ୍କା ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦେଇଛି । ଲଘୁଚାପକୁ ଦୃଷ୍ଟିରେ ରଖି ଅମଳ ହୋଇଥିବା ଫସଲର ସୁରକ୍ଷିତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ସୋମବାର ଜିଲ୍ଲା କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସଂଗ୍ରହକାରୀମାନଙ୍କୁ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। “ମଣ୍ଡି କିମ୍ବା ସୁରକ୍ଷିତ ସ୍ଥାନରେ ଧାନକୁ ବର୍ଷା ଠାରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଆବଶ୍ୟକ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇପାରେ ଏବଂ କୌଣସି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ ଲେଖିଛନ୍ତି। ଡିସେମ୍ବର ୩ ରେ ଗଜପତି, ଗଞ୍ଜାମ ଏବଂ ପୁରୀର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.