ଉତ୍ତରପ୍ରଦେଶ ଯାଏଁ ପହଞ୍ଚିଲା ଓମିକ୍ରନ୍‌

ଦିଲ୍ଲୀ, ଡିସେମ୍ବର ୧୮ : ଦେଶର ସର୍ବବୃହତ୍ତ ରାଜ୍ୟ ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଚିହ୍ନଟ ହୋଇଛି। ଗାଜିଆବାଦ୍‌ରେ ଏହି ଭାରିଆଣ୍ଟର ୨ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଗତ ଦିନରେ ଉଭୟ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଥିଲେ। କାହାରି ପାକ୍ଷରେ କୌଣସି ଲକ୍ଷଣ ନଥିଲା। କିନ୍ତୁ ଏହା ପୂର୍ବରୁ ଉଭୟଙ୍କୁ ଗୃହ ସଂଗରୋଧରେ ରଖାଯାଇଛି। କୁହାଯାଉଛି ଯେ, ଓମିକ୍ରନ୍‌ ଚିହ୍ନଟ ୨ ବ୍ୟକ୍ତିଙ୍କର ବୟସ ୬୦ ବର୍ଷ ଲେଖାଏଁ ହେବ। ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା। ଏମାନେ ଡିସେମ୍ବର ୨ ତାରିଖରେ କୋଭିଡ ଚିହ୍ନଟ ହୋଇଥିଲେ। କିନ୍ତୁ ୧୭ ତାରିଖ ରାତି ଜିନୋମ ପରେ ଓମିକ୍ରନ୍‌ ଦ୍ବାରା ପୀଡିତ ଥିବା ସ୍ପଷ୍ଟ ହୋଇଛି। ଏହା ପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି। ଏଥି ପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ଦେଶର ୧୦ରୁ ଊର୍ଦ୍ଧ୍ବ ରାଜ୍ୟରେ ଓମିକ୍ରନ୍‌ ଚିହ୍ନଟ ହୋଇସାରିଛି। ରାଜଧାନୀ ଦିଲ୍ଲୀରେ ୧୦ ଜଣ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ଏହା ୪୦ ଅତିକ୍ରମ କରିଛି। ରାଜସ୍ଥାନ, କେରଳ ଓ କର୍ଣ୍ଣାଟକରେ ମଧ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି। ପୂରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ମାତ୍ର ସ୍ଥିତି ଏବେବି ନିୟନ୍ତ୍ରଣରେ ରହିଛି। କେନ୍ଦ୍ର ସରକାର କୋଭିଡ କଟକଣାକୁ ଗୁରୁତ୍ବପୂର୍ଣ୍ଣ ଭାବେ ପାଳନ କରିବାକୁ ଆଦେଶ ଦେଇଛନ୍ତି। ମାସ୍କ ଓ ସାମାଜିକ ଦୂରତାକୁ ଜୋର ଦେଇଛନ୍ତି। 

Leave A Reply

Your email address will not be published.