ଶ୍ମଶାନରେ ପୋତାଯାଉଥିବା ବେଳେ କାନ୍ଦି ଉଠିଲା ଶିଶୁ

କେନ୍ଦୁଝର, ଜାନୁଆରୀ ୧୯ : ଡାକ୍ତରଙ୍କ ଦ୍ବାରା ମୃତ ଘୋଷିତ ନବଜାତ ଶିଶୁକୁ ଶ୍ମଶାନରେ ପୋତାଯାଉଥିବା ବେଳେ ହଠାତ୍ କାନ୍ଦି ଉଠିବା ପରେ ହଟାତ୍ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଖଡ଼ିକା ପଡ଼ାଗାଁରେ ବୁଧବାର ଏହି ଘଟଣା ଘଟିଛି। ଏହି ଘଟଣା ପରେ ତୁରନ୍ତ ଉକ୍ତ ଶିଶୁକୁ ଶ୍ମଶାନରୁ ଫେରାଇ ନେଇ ଡାକ୍ତରଖାନାରେ ପହଁଞ୍ଚିଥିଲେ ପରିବାର ଲୋକେ। ପରେ ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖଡ଼ିକାପଡ଼ାର ସନିଆ ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ବୁଧବାର ପ୍ରସବ ବେଦନା ଭୋଗିବାରୁ ତାଙ୍କୁ କରଥିଆ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ ପରେ ଡାକ୍ତର ଶିଶୁ ପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ । ରାଇମଣି ଚିକିତ୍ସାଧୀନ ଥିବା ବେଳେ ସନିଆ ଶିଶୁକୁ ଏକ ବ୍ୟାଗରେ ପୂରାଇ ଗାଁକୁ ଆସିଥିଲେ। ତେବେ ପୋତିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶିଶୁଟି ହଠାତ୍ କାନ୍ଦି ଉଠିଥିଲା। ସେ ଜୀବିତ ଥିବା ଜାଣି ସନିଆ ସଙ୍ଗେ ସଙ୍ଗେ ତାକୁ ପୁଣି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ। ଏବେ ସେଠାରେ ଆଇସିୟୁରେ ରଖୁ ଶିଶୁ ପୁତ୍ରର ଚିକିତ୍ସା କରାଯାଉଛି । ଘଟଣା ସମ୍ପର୍କରେ ଡା.ଅକ୍ଷୟ କୁମାର କରଙ୍କୁ ପଚାରିବାରୁ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ବାରା ଶିଶୁର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.