ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା : ସରପଞ୍ଚ ପ୍ରାର୍ଥୀପତ୍ର ବିବାଦକୁ ନେଇ ଜାଳି ଦେଲେ ଧାନ ଗଦା

ଆଠଗଡ,୨୨/୦୧: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗରମ ହେଉଛି ରାଜନୀତି । ଏପରିକି ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଲାଣି ।କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ଅଚଳ କୋଟ ଗ୍ରାମରେ ସରପଞ୍ଚ ପ୍ରାର୍ଥୀପତ୍ର ଦାଖଲକୁ ନେଇ ଧାନ ଗଦାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ସୂଚନାନୁସାରେ,  ଶୁକ୍ରବାର ଅଚଳ କୋଟ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀପତ୍ରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମନୋ ମାଳିନ୍ୟ ଦେଖିବାକୁ ମିଳିଥିଲା। ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯାହା ଫଳରେ ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ । ପ୍ରତିହିଂସା ପରାୟଣ ହୋଇ ଅପର ଗୋଷ୍ଠୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ପାଖାପାଖି ୮୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ  ଅମଳ ହେବାକୁ ଥିବା ଧାନ ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ସକାଳେ ଗ୍ରାମରେ ପହଁଚି ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.