ଅନଲାଇନ୍ ନୁହେଁ, କ୍ଲାସ୍ ରୁମରେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୨୪/୦୨: ଚଳିତବର୍ଷର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନ୍‌ଲାଇନ ନୁହେଁ ବରଂ ଅଫଲାଇନରେ ଆୟୋଜିତ ହେବ । ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନ୍‌ଲାଇନରେ ଆୟୋଜନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଥିଲା । ଏଭଳି ପିଟିସନ ଛାତ୍ରଛାତ୍ରୀଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ତଥା ଦ୍ୱନ୍ଦ୍ୱରେ ପକାଉଥିବା ପ୍ରକାଶ କରି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଆଗକୁ ଏଭଳି ପିଟିସନ ଦାୟର କରିବା ଉପରେ ମଧ୍ୟ କୋର୍ଟ ରୋକ ଲଗାଇଛନ୍ତି । ସିବିଏସ୍‌ଇ, ଆଇସିଏସ୍‌ଇ, ଏନ୍‌ଆଇଓଏସ୍‌ ଏବଂ ରାଜ୍ୟମାନଙ୍କ ତରଫରୁ ଆୟୋଜନ କରାଯାଉଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ହିଁ କରାଯିବ ବୋଲି ଜଷ୍ଟିସ ଏ.ଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଥିଲେ, ଅନ୍‌ଲାଇନ ପରୀକ୍ଷା ପାଇଁ ଦାବି କରିବା ବଦଳରେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କରିବାକୁ ଦିଆଯାଉ । ନଚେତ୍‌ ଏହା ଛାତ୍ରଛାତ୍ରୀଙ୍କ ମନରେ ନିରାଶବାଦ ସୃଷ୍ଟି କରିବ । ସେମାନେ ପରୀକ୍ଷା ପ୍ରସ୍ତୁତିକୁ ନେଇ ଦ୍ୱନ୍ଦ୍ୱରେ ରହିବେ । ପଟିସନ ଦାଖଲକାରୀ କହିଥିଲେ, କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମଧ୍ୟ ଅଫ୍‌ଲାଇନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇନାହିଁ । ପାଠ୍ୟକ୍ରମ ମଧ୍ୟ ଶେଷ ହୋଇନାହିଁ । ଏଣୁ ଅଫଲ୍‌ାଇନ ପରୀକ୍ଷା ରଦ୍ଦ କରି ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ, ପାଠ୍ୟକ୍ରମ ଶେଷ କରିବା ପରେ ହିଁ ଅଫ୍‌ଲାଇନ ପରୀକ୍ଷା ହେବ । ସୂଚନାଥାଉକି, ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଏପ୍ରିଲ ୨୬ରୁ ଟର୍ମ-୨ ବୋର୍ଡ ପରୀକ୍ଷା କରାଯିବ । ଏହି ପରୀକ୍ଷା ଅଫ୍‌ଲାଇନରେ ଅନୁଷ୍ଠିତ ହେବ ବୋଲି ସିବିଏସ୍‌ଇ ପୂର୍ବରୁ ଘୋଷଣା କରିସାରିଛି । ଦେଶରେ ଏବଂ ବିଶ୍ୱରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ଶନ୍ୟାମ ଭରଦ୍ୱାଜ କହିଛନ୍ତି ।

Leave A Reply

Your email address will not be published.