ବଚ୍ଚନ ଦମ୍ପତ୍ତିଙ୍କୁ ଆଶ୍ୱସ୍ତି : ବିଏମସି ନୋଟିସ ବିରୋଧରେ ଆବେଦନ କରିପାରିବେ ଅମିତାଭ

ମୁମ୍ବାଇ, ୨୪।୦୨: ବଲିଉଡର ଶେହନସାହ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ବମ୍ବେ ହାଇକୋର୍ଟ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବୁଧବାର କୋର୍ଟ ମୁମ୍ବାଇ ନଗର ନିଗମକୁ ଉଭୟ ଦମ୍ପତ୍ତିଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବଚ୍ଚନ ଦମ୍ପତ୍ତି ବିଏମସି ବିରୋଧରେ ଆବେଦନ କରିପାରିବେ । ସୂଚନାନୁସାରେ, ଜୁହୁରେ ଏକ ଜମିରେ ଅମିତାଭ ଓ ଜୟାଙ୍କ ବଙ୍ଗଳା ରହିଛି । ଏଠାରେ ରାସ୍ତାର ବିସ୍ତାରୀକରଣ କରାଯାଉଛି । ଆବେଦନର ଶୁଣାଣି ନହେବା ଯାଏଁ ବିଏମସି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟମୂର୍ତ୍ତି ଆରଡି ଧାନୁକା ଓ ଏସଏମ ମୋଦକଙ୍କ ଖଣ୍ଡପୀଠ ଅମିତାଭ ଓ ଜୟାଙ୍କ ଦ୍ୱାରା ଦାଖଲ ଅବେଦନର ଶୁଣାଣି କରିଥିଲେ । ଏହାସହ କୋର୍ଟ କହିଥିଲେ ଯେ, ଆବେଦନରେ ଦମ୍ପତ୍ତି ସେମାନଙ୍କ ପକ୍ଷରେ ରାୟ ଦେବାକୁ ଅନୁରୋଧ କରିଥିଲେ । ସେପଟେ ବମ୍ବେ ନଗର ନିଗମ ଦମ୍ପତ୍ତିଙ୍କ ଜମିକୁ କବଜା କରିବା ପାଇଁ ଚାହୁଁଛି । କାରଣ ଏହି ଜମି ରାସ୍ତା ପାଇଁ ପ୍ରସ୍ତାବିତ ଜମିରେ ଆସୁଛି । ବଚ୍ଚନ ପରିବାରର କହିବାନୁସାରେ, ବିଏମସି ଅଧିନୟମ ୧୯୮୮ ଧାରା ୨୯୯ରେ ତାଙ୍କୁ ନୋଟିସ କରାଯାଇପାରିବ ନାହିଁ । କାରଣ ଭୂମି ଅଧିଗ୍ରହଣ, ପୁନର୍ବାସ ସ୍ୱତନ୍ତ୍ର ଅଧିକାର ପରିସରରେ ଆସୁଛି । ସେମାନେ ଶୁଣାଣି ନସରିବା ଯାଏଁ ବିଏମସି କିଛି ଦଣ୍ଡାତ୍ମକ ପଦକ୍ଷେପ ନେଇପାରିବ ନାହିଁ ବୋଲି ଆବେଦନ କରିଥିଲେ । କୋର୍ଟ ମଧ୍ୟ ଏହାର ଶୁଣାଣି କରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ବିଏମସିକୁ କହିଛନ୍ତି ।

Leave A Reply

Your email address will not be published.