ପଞ୍ଚାୟତ ନିର୍ବାଚନ: ବିଜେଡି ହାତରେ ଅଧିକ ଜିଲ୍ଲା ପରିଷଦ ଜୋନ୍‌

ଭୁବନେଶ୍ୱର, ମାର୍ଚ୍ଚ ୦୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳକୁ ସଫଳତା ମିଳିଛି । ଭଦ୍ରକ, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ବିଜେଡି ମୂଳପୋଛ କରିଦେଇଛି । ପଶ୍ଚିମ ଓଡ଼ିଶାରେ ଗତଥର ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଯେଉଁଠି ନିରାଶ ହେବାକୁ ପଡ଼ିଥିଲା, ଏଥର ସେଠାରେ ଉତ୍ତର ଫଳ ମିଳିଛି । ଭୋଟ ଗଣତିର ପ୍ରକ୍ରିୟା ପୂରା ଶେଷ ହୋଇ ନଥିଲେ ବି ଶେଷ ରିପୋର୍ଟ ପର୍ଯ୍ୟନ୍ତ ବିଜେଡି ୭୬୨, ବିଜେପି ୪୬ ଓ କଂଗ୍ରେସ ୩୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ଅଥବା ଆଗୁଆ ରହିଛି । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ସମସ୍ତ ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ ଘୋଷଣା ହୋଇଯିବାର ଅନୁମାନ କରାଯାଉଛି । କୁହାଯାଉଛି ଯେ, ବିଜେଡିର ଲୋକପ୍ରିୟତା ତୁଳନାରେ ଧନପ୍ରିୟତା ଅଧିକ । ଅର୍ଥାତ ମତଦାତା ନିଜସ୍ୱ ଇଛାରେ ବିଜେଡିକୁ ଭୋଟ ଦେଇ ନାହାନ୍ତି । ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍‌ରେ ଅର୍ଥ ଓ ବାହୁବଳୀର ବ୍ୟବହାର କରାଯାଇଛି । ଚର୍ଚ୍ଚା ହେଉଛି ଯେ, ଧନକୁ ବ୍ୟବହାର ନକରି ବିଜେଡି ଏତେମାତ୍ରେ ଜିଲ୍ଲା ପରିଷଦ ଜୋନ୍ ହାତେଇବା ସହଜ ନୁହେଁ । ଅନ୍ୟପଟରେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ବିଜେଡି ଯେଭଳି ରଣନୀତି ପ୍ରସ୍ତୁତ କରିଥିଲା ବିରୋଧୀ ଦଳ ତାହା କରିପାରି ନଥିଲେ । ବିରୋଧୀ ଦଳର ରାଜ୍ୟର ପ୍ରମୁଖ ସମସ୍ୟାକୁ ଜନତାଙ୍କ ସାମ୍ନାରେ ସଠିକ ଭାବରେ ଉପସ୍ଥାପନ କରିବାରେ ସଫଳ ହୋଇପାରି ନଥିଲେ । କଳାହାଣ୍ଡି ଜିଲ୍ଲାର ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା, ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା, ଧାନକିଣାରେ ଅବ୍ୟବସ୍ଥା, ଦାନନ ଚାଲାଣ ଭଳି ପ୍ରମୁଖ ସମସ୍ୟା ଥିଲେ ବି ବିରୋଧୀ ଦଳମାନେ ଏଗୁଡ଼ିକ ଜନତାଙ୍କୁ ପ୍ରଭାବିତ କଲାଭଳି ପ୍ରଚାର କରିପାରି ନଥିଲେ । ମୋଟାମୋଟି ଭାବେ କହିବାକୁ ବିରୋଧୀ ଦଳ ପଞ୍ଚାୟତ ନିର୍ବାଚନକୁ ଅତି ହାଲୁକା ଭାବେ ଗ୍ରହଣ କରିଥିଲା । ଫଳସ୍ୱରୂପ ବିଜେପି ୧୦ଟି ଓ କଂଗ୍ରେସ ୧୮ଟି ଜିଲ୍ଲାରେ ଖାତା ଖୋଲିପାରି ନାହିଁ ।

Leave A Reply

Your email address will not be published.