ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ

ଲକ୍ଷ୍ନୌ ୨୫/୦୩ : ଶୁକ୍ରବାର ଉତ୍ତରପ୍ରଦେଶରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ।ଶପଥ ଗ୍ରହଣ ସମାରୋହ ଅପରାହ୍ମଣ ୪ଟାରେ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ।ଗୁରୁବାର ଦିନ ଉତ୍ତରପ୍ରଦେଶରେ ନବନିର୍ବାଚିତ ବିଜେପି ବିଧାୟକମାନେ ଯୋଗୀ ଆଦିତ୍ୟନାଥଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ବିଧାୟକଙ୍କ ନାଁ ରାଜଭବନକୁ ପଠାଯାଇଛି । ଦଳର କାର୍ଯ୍ୟାଳୟରେ ମଧ୍ୟ କର୍ମୀଙ୍କ ଆଗମନ ଦେଖିବାକୁ ମିଳିଲାଣି । ଗୁରୁବାର ଲକ୍ଷ୍ନୌରେ ବିଜେପି ବିଧାୟକ ଦଳର ବୈଠକ ବସିଥିଲା । ସେଥିରେ ବିଜେପିର ନବନିର୍ବାଚିତ ବିଧାୟକ ଓ ବିଧାନ ପରିଷଦର ସଦସ୍ୟ ଯୋଗ ଦେଇଥିଲେ । ଏହାସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ୟୁପି ବିଧାନସଭା ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ରାଧାମୋହନ ସିଂହ, କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଆଦିତ୍ୟନାଥ ରାଜଭବନ ଯାଇ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ନେତା ନିର୍ବାଚିତ ହେବା ପରେ ଦଳୀୟ ବିଧାୟକଙ୍କୁ ସମ୍ବୋଧନ କରି ଯୋଗୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମୋ’ ଉପରେ ପୁଣିଥରେ ଭରସା ସ୍ଥାପନ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଅର୍ପଣ କରୁଛି । ଆମ ସରକାର କୌଣସି ଭେଦଭାବ ବିନା ସାଧାରଣ ଜନତାଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇଛି । ଆଗକୁ ବି ଲୋକଙ୍କ ମଙ୍ଗଳ ଲାଗି କାମ କରିବାକୁ ପଡ଼ିବ ବୋଲି ସେ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ । ସେପଟେ ଶୁକ୍ରବାର ହେବାକୁ ଥିବା ଆଦିତ୍ୟନାଥଙ୍କ ଶପଥଗ୍ରହଣ ଉତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି ହେବେ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ସମସ୍ତ ରାଜ୍ୟର ବର୍ତ୍ତମାନ ଓ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ଯୋଗ ଦେବେ । ଏମାନଙ୍କ ବ୍ୟତୀତ ଅକ୍ଷୟ କୁମାର, କଙ୍ଗନା ରାଣାୱତ୍‌, ବୋନି କପୁର ପ୍ରମୁଖ ବଲିଉଡ୍‌ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ନିକଟରେ ରିଲିଜ୍‌ ହୋଇଥିବା ‘ଦି କାଶ୍ମୀର ଫାଇଲ୍‌ସ’ ଫିଲ୍ମର ଟିମ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ସେମାନଙ୍କ ତରଫରୁ ଅଭିନେତା ଅନୁପମ ଖେର୍‌ ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.