ଉପକୂଳରେ ବଢିବ ତାତି

ଭୁବନେଶ୍ୱର,୨୬/୦୩: ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ତାତି ରହିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଶୁକ୍ରବାର ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ୪୧ ଡିଗ୍ରୀ ସେଲସିୟସ୍‌ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୦.୫, ଟିଟିଲାଗଡ଼ ୪୦, ଭବାନିପାଟଣା ଓ ସୋନପୁରରେ ୩୯.୫, ଫୁଲବାଣୀରେ ୩୯.୧ ଏବଂ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଅପରପକ୍ଷେ, ଶନିବାର ପାଗ ଶୁଖିଲା ରହିବ । ଖରା ରହିବା ସହିତ ଉପକୂଳରେ ବି ଧୀରେ ଧୀରେ ତାତି ବଢ଼ିବ । ୨୮ ତାରିଖରୁ ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳରେ ତାତି ବଢ଼ିବ । ବର୍ଷା ହେବାର ସମ୍ଭାବନା ନାହିଁ । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଶନିବାର କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ହେଲେ ରବିବାରଠାରୁ ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା ନାହିଁ। ଉପକୂଳରେ ସ୍ୱାଭାବିକ ତାତି ରହିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି।

Leave A Reply

Your email address will not be published.