ତେଲ ଦର ପୁଣି ବଢିଲା

ନୂଆଦିଲ୍ଲୀ, ୨୯/୦୩: ଲଗାତର ଭାବେ ବଢିଚାଲିଛି ତେଲଦର । ତେଲ ଦର ପୁଣି ବଢିଛି । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ସପ୍ତମ ଦିନ ପେଟ୍ରୋଲ ୮୦ ପଇସା ଓ ଡିଜେଲ ଦର ବୃଦ୍ଧି ୭୦ ପଇସା ଲେଖାଏଁ ବଢ଼ିଛି। ଫଳରେ ଚାରି ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୫ ଟଙ୍କା ପାଖାପାଖି ମହଙ୍ଗା ହୋଇଛି। ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ଦର ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ। ଏନଡି ଟିଭିର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୬ ଟଙ୍କା ୮୩ପଇସା ଥିବା ବେଳେ ଡିଜେଲ ୯୬ ଟଙ୍କା ୬୨ ପଇସା ରହିଛି । ସେହିପରି  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୦ଟଙ୍କା ୨୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୧ଟଙ୍କା ୪୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୫ଟଙ୍କା ୪ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୯ ଟଙ୍କା ୨୫ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୬୮ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୪ ଟଙ୍କା ୬୨ ପଇସା ଦରରେ ବିକ୍ରି ହେଉଛି।

Leave A Reply

Your email address will not be published.