ସପ୍ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ

ମୁମ୍ବାଇ,୩୧/୦୩ : ଆଇପିଏଲ୍‌ର ସପ୍ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ । ଉଭୟ ନିଜ ନିଜର ପ୍ରଥମ ମ୍ୟାଚ ପରାଜିତ ହୋଇଥିବାରୁ ବିଜୟ ଖାତା ଖୋଲିବାକୁ ବ୍ୟାକୁଳ । ଗୁଜରାଟ ଲାୟନ୍ସ ବିପକ୍ଷରେ ପରାଜିତ ହୋଇଥିଲେ ହେଁ ଦଳର ପ୍ରଦର୍ଶନକୁ ନେଇ ଅଧିନାୟକ ଲୋକେଶ ରାହୁଲ ଚିନ୍ତିତ ନୁହନ୍ତି । କାରଣ ଏକଦା ୨୯ରନ୍‌ରେ ଦଳ ୪ଟି ୱିକେଟ୍‌ ହରାଇବାପରେ ଦୀପକ ହୁଡ଼ା ଓ ଅପରିଚିତ ଆୟୂଷ ବାଦୋନି ଚିତ୍ତାକର୍ଷକ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଚଳିତ ସିଜନରେ ସୁପରଜିଆଣ୍ଟସର ମଧ୍ୟକ୍ରମ ଦୁର୍ବଳ ଧିବା ଆଲୋଚନା ହେଉଥିବା ବେଳେ ହୁଡ଼ା ଓ ବାଦୋନି ସବୁ ଗଣନାକୁ ଭୁଲ ପ୍ରମାଣିତ କରିଦେଇଥିଲେ । ଏଥର ଉପରଭାଗ ବ୍ୟାଟରମାନଙ୍କ ପାଳି । ରାହୁଲ, ଡି କକ୍‌, ଏଭିନ ଲୁଇସ ଓ ମନୀଷ ପାଣ୍ଡେଙ୍କୁ ଦକ୍ଷତା ଦେଖାଇବାକୁ ପଡ଼ିବ । ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ସୁପରକିଙ୍ଗ୍‌ସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ । ମହେନ୍ଦ୍ର ସିଂ ଧୋନି ୩୮ଟି ବଲ୍‌ରୁ ୫୦ ରନ୍‌ର ପାଳି ଖେଳିଥିଲେ । ସେହିପରି ଡ୍ୱେନ ବ୍ରାଭୋ ୨୦ ରନ୍‌ରେ ୩ଟି ୱିକେଟ୍‌ ନେଇଥିଲେ । ଭେଟେରାନଙ୍କ ପ୍ରଦର୍ଶନ ସହ ଯୁବ ଖେଳାଳିଙ୍କୁ ତାଳ ଦେଇ ଖେଳିବାକୁ ହେବ । ଆଜିର ମ୍ୟାଚ୍‌ରେ ମୋଇନ ଅଲି ଖେଳିବା ନିଶ୍ଚିତ । ତାଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ରବିନ୍ଦ୍ର ଜାଡେଜା ଓ ରାହୁଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଜାଡେଜା ଆଇପିଏଲରେ ଆଜି ପର୍ଯ୍ୟନ୍ତ ରାହୁଲଙ୍କୁ ଆଉଟ୍‌ କରିନାହାନ୍ତି ।

Leave A Reply

Your email address will not be published.