ଏପ୍ରିଲ ୧୩ରୁ ବଢିବ ତାତି

ଭୁବନେଶ୍ୱର ୦୯/୦୪: ଆସନ୍ତା ୧୩ ତାରିଖ ପରେ ରାଜ୍ୟରେ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡିଶାରେ ୧୩ରୁ ୧୭ ଯାଏ ୨ଡିଗ୍ରୀ ତାପମାତ୍ରା ବଢ଼ିବ । ଉପକୂଳରେ ବି ୧୩ ତାରିଖ ପରେ ତାତି ବଢ଼ିଯିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ସେପଟେ ୧୦ରୁ ୧୪ ତାରିଖ ଯାଏ ଉପକୂଳରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ୧୩, ୧୪ ଓ ୧୫ରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ସମ୍ଭାବନା ଅଧିକ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ସେହିଭଳି ୯ରୁ ୧୨ ତାରିଖ ଯାଏ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୦ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।ଶନିବାର ବୌଦ୍ଧର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ ହୋଇଛି । ଅନୁଗୁଳରେ ୪୦.୭, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ବାରିପଦାରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁର, ପୁରୀ, ଅନୁଗୁଳ, ପାରାଦୀପ ଓ ଭୁବନେଶ୍ୱରର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଛି । ତେବେ ଫୁଲବାଣୀରେ ଅଧିକ ବର୍ଷା ହୋଇଛି । ଏଠାରେ ୪୭.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.