ବଦଳୁଛି ନେପଚୁନ୍‌ର ତାପମାତ୍ରା

ୱାଶିଂଟନ୍ ୧୩।୪: ସୌରମଣ୍ଡଳର ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ନେପଚୁନ୍‌କୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ସଂଗ୍ରହ କରିଛନ୍ତି । ପ୍ଲାନେଟୋରୀ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ, ନେପଚୁନ୍‌ର ବାୟୁମଣ୍ଡଳର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ବଦଳୁଛି । WIONରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବର ଅନେକ ଟେଲିସ୍କୋପ୍ ସାହାଯ୍ୟରେ ବୈଜ୍ଞାନିକମାନେ ନେପଚୁନ୍‌ର ତାପମାତ୍ରାରେ ଆସିଥିବା ଏହି ପରିବର୍ତ୍ତନର ସ୍ପଷ୍ଟ ଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଗ୍ରହର ହାରାହାରି ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଅଧ୍ୟୟନର ମୁଖ୍ୟ ଲେଖକ ତଥା ଲେଷ୍ଟର ୟୁନିଭରସିଟିର ପୋଷ୍ଟ ଡକ୍ଟୋରାଲ୍ ରିସର୍ଚ୍ଚ ଆସୋସିଏଟ୍ ଡ. ମାଇକଲ ରୋମନ କହିଛନ୍ତି ଯେ, ଏଭଳି ପରିବର୍ତ୍ତନ ନେଇ ଆଶା ନଥିଲା । ଯେହେତୁ ଆମେ ଏହା ଗ୍ରୀଷ୍ମ ଋତୁରେ କରୁଥିଲୁ, ତେଣୁ ଆମେ ଆଶା କରୁଥିଲୁ ଧୀରେ ଧୀରେ ଏଠାରେ ଉତ୍ତାପ ବୃଦ୍ଧି ପାଇବ ଥଣ୍ଡା ନୁହେଁ । ଏହି ପରିବର୍ତ୍ତନର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତଥାପି ଅନୁସନ୍ଧାନକାରୀମାନେ ବିଶ୍ବାସ କରୁଛନ୍ତି ଯେ ତାପମାତ୍ରାର ପରିବର୍ତ୍ତନ ନେପଚୁନ୍‌ର ବାୟୁମଣ୍ଡଳୀୟ ରସାୟନ ବିଜ୍ଞାନରେ ଋତୁ ପରିବର୍ତ୍ତନ ସହିତ ଜଡିତ ହୋଇପାରେ । ଯାହା ଏଥିରେ ପରିବର୍ତ୍ତନ କରିପାରେ ଯେ ବାୟୁମଣ୍ଡଳ କେତେ ପ୍ରଭାବଶାଳୀ ଭାବେ ଥଣ୍ଡା ହୋଇପାରେ । ଏହା ବ୍ୟତୀତ ୧୧ ବର୍ଷର ସୌରଚକ୍ର ମଧ୍ୟ ଏହାର କାରଣ ହୋଇପାରେ ।

Leave A Reply

Your email address will not be published.