ଜାହାଙ୍ଗୀରପୁରୀ ହିଂସା: ଏପର୍ଯ୍ୟନ୍ତ ୨୧ ଗିରଫ, ସାମ୍ନାକୁ ଆସିଲା ୧୦୦ ଭିଡିଓ, ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ, ଏପ୍ରିଲ ୧୮ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଶନିବାର କୁଶଳ ସିନେମା ନିକଟରେ ହୋଇଥିବା ହିଂସାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ଗିରଫ କରିସାରିଛି । ଗିରଫ ଅଭିଯୁକ୍ତମାନେ ଶୋଭାଯାତ୍ରା ଉପରକୁ ପଥରମାଡ଼ କରିଥିବା ନେଇ ପୋଲିସକୁ ସୂଚନା ମିଳିଛି । ହିଂସାରେ ୨ ଜଣ ନାବାଳକ ମଧ୍ୟ ସାମିଲ ଥିବା ଜଣାଯାଇଛି । ଏପର୍ଯ୍ୟନ୍ତ ପୋଲିସକୁ ୧୦୦ ଭିଡିଓ ମିଳିଥିବା ବେଳେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ଘଟଣାର ତଦନ୍ତ ଦିଲ୍ଲୀ ପୋଲିସ ହାତରେ ଥିଲା ।  ସୂଚନାଯୋଗ୍ୟ, ହନୁମାନ ଜନ୍ମେତ୍ସବ ଅବସରରେ ବାହାରିଥିବା ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ । ଏହାର ଏକ ଘଣ୍ଟା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ପଥରମାଡ଼ ସହିତ ଖଣ୍ଡା ବୁଲିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ, ଯେଉଁଥି ପାଇଁ ୬ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । ଏଥି ସହିତ ଭିଡ ଭିତରୁ ଅନ୍ୟ ଜନସାଧାରଣ ମଧ୍ୟ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି । ପୋଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସଂପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ଆହତ ପୋଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ । 

Leave A Reply

Your email address will not be published.