ହାଜତ ମୃତ୍ୟୁ ମାମଲା : ରହସ୍ୟ ଉପରୁ ଉଠିପାରୁନି ପରଦା

 ଭୁବନେଶ୍ୱର: ଭୁବନେଶ୍ୱର ବଡଗଡ ଥାନା ହାଜତ ମୃତ୍ୟୁ ମାମଲା ରହସ୍ୟ ଉପରୁ ଉଠିପାରିନି ପରଦା । ପୁଲିସ କବଜାରେ ଥିବା ଜଣେ ବ୍ୟକ୍ତିଙ୍କର କେମିତି ମୃତ୍ୟୁ ହେଲା ସେନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇପାରିନି । ଯାହାକି ମାମଲାକୁ ଆହୁରି ରହସ୍ୟମୟ କରି ପକାଇଛି । ପ୍ରଦୀପ ଓରଫ ଦେବେନ୍ଦ୍ରଙ୍କୁ ପିଟିପିଟି ପୁଲିସ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ମାମଲା ଆହୁରି ଗୋଳିଆ ହୋଇଯାଇଛି । ଏହାକୁ ନେଇ ଅଡୁଆରେ ପଡିଛି ପୁଲିସ । ତେବେ ଜାତୀୟ ମାନବାଧିକାର କମିଶନଙ୍କ ନିୟମ ଅନୁସାରେ ହାଜତ ମୃତ୍ୟୁର ସମସ୍ତ ନିୟମକୁ ପାଳନ କରଯାଉଥିବା, ଜଣାପଡିଛି । ଏକାଧିକ ଡାକ୍ତର ଶବ ବ୍ୟବଛେଦ କରିବା ସହ ଏହାର ଭିଡିଓ ରେକର୍ଡିଂ କରାଯାଇଛି । ସିଆରପିସିର ଧାରା -୧୭୬(୧) (ଏ) ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଲେଖାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ପ୍ରଦୀପ ସୁନ୍ଦରପଦା ହରିଆ ଛକରେ ରୁହନ୍ତି। ତାଙ୍କ ନାମରେ ପୂର୍ବରୁ ଲକ୍ଷ୍ମୀସାଗର, ବଡ଼ଗଡ଼, ମଞ୍ଚେଶ୍ବର ଓ ବାଦାମବାଡ଼ି ଥାନାରେ ମାମଲା ରହିଛି । ସେହିପରି ବଡ଼ଗଡ଼ ଥାନାରେ ଏକ ସାଇକେଲ ଚୋରି ଅଭିଯୋଗ ରହିଥିଲା । ପ୍ରଦୀପ ଉପରେ ପୁଲିସର ସନ୍ଦେହ ହୋଇଥିଲା । ଗତକାଲି ସନ୍ଧ୍ୟାରେ ବ୍ରହ୍ମେଶ୍ବରପାଟଣା ଅଞ୍ଚଳରେ ପ୍ରଦୀପ ସାଇକେଲରେ ଯାଉଥିବା ବେ​ଳେ ପୁଲିସ ଉଠାଇ ଆଣିଥିଲା । କିନ୍ତୁ ପୁଲିସ ହେପାଜତରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା । କେଉଁ ପରିସ୍ଥିତିରେ ପ୍ରଦୀପଙ୍କର ମୃତ୍ୟୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ । ପାରିପାର୍ଶ୍ବିକ ସ୍ଥିତି ଭିନ୍ନ କଥା କହୁଛି । ତାଙ୍କ ମୁଣ୍ଡରେ ମାଡ଼ ଚିହ୍ନ, ବାମ ହାତ କଚଟି ଫୁଲିଯିବା ଏବଂ ଶରୀର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ଟିମ୍ ଧରିବାକୁ ଯିବା ସମୟରେ ସାଇକେଲ୍‌ରୁ ପଡ଼ିଯିବାରୁ ଖଣ୍ଡିଆ ଖାବରା ହୋଇଥିବା କଥାକୁ ପରିବାରଲୋକ ସହଜରେ ବିଶ୍ବାସ କରିପାରୁ ନାହାନ୍ତି ।

Leave A Reply

Your email address will not be published.