କାଳବୈଶାଖି ଆଣିଲା ଆଶ୍ୱସ୍ତି

ଭୁବନେଶ୍ୱର,୨୨/୦୪: ନିର୍ଘାତ୍‌ ଖରା ପ୍ରକୋପରୁ ଟିକିଏ ଆଶ୍ୱସ୍ତି ମିଳିଛି । ରାଜ୍ୟ ତମାମ ଖସିଛି ପାରଦ । ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବହୁ ମାତ୍ରାରେ କମିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ କମିଛି । ଦିନେ ୨ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏଭଳି ସ୍ଥିତି ରହିବ । ମାତ୍ର ୨୪ ତାରିଖରୁ ପୁଣି ତାତି ବଢ଼ିବ । ସପ୍ତାହେ ପର୍ଯ୍ୟନ୍ତ ଗ୍ରୀଷ୍ମରେ ଭାଜି ହେବ ସାରା ରାଜ୍ୟ । ୨୮ ତାରିଖବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୬ଂ ଛୁଇଁପାରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବଢ଼ିବ ଖରା ପ୍ରକୋପ । ୨୫ ତାରିଖବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୨-୪୩ ଡିଗ୍ରୀ ରହିପାରେ । ୨୮ ତାରିଖବେଳକୁ ପୂରା ନିଆଁ ବର୍ଷିଲା ଭଳି ତାତି ଅନୁଭୂତ ହେବା ଆଶଙ୍କା ରହିଛି । ୨୮, ୨୯ ଓ ୩୦ରେ ଭୀଷଣ ଗ୍ରୀଷ୍ମପ୍ରବାହ ହୋଇପାରେ । ତାପମାତ୍ରା ୪୫-୪୬ ଡିଗ୍ରୀ ପହଞ୍ଚିପାରେ । ସେତେବେଳେ ଉପକୂଳ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଟପିବା ଆଶଙ୍କା ରହିଛି । ମୁଖ୍ୟତଃ ଉତ୍ତର ପଶ୍ଚିମ ଭାରତ ପଟୁ ତତଲା ପବନ ପ୍ରବାହିତ ହେବା ସହ ସାମୁଦ୍ରିକ ପବନ ପ୍ରବାହ ବନ୍ଦ ରହିବା କାରଣରୁ ତାପମାତ୍ରା ହୁ ହୁ ହୋଇ ବଢ଼ିବ । ଏଭଳି ସ୍ଥିତି ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ । ଆସନ୍ତା ୨୪ରୁ ମେ’ ୧ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରକୋପରୁ ନିସ୍ତାର ମିଳିବା ଆଶା କମ୍‌ । ବର୍ତ୍ତମାନ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମ୍‌ ରହିବା ସମ୍ଭାବନା ଅଛି । ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ । ଏହି ସମୟରେ ତାପମାତ୍ରା ୪୦ ଡିଗ୍ରୀରୁ କମ୍‌ ରହିବା ସମ୍ଭାବନା ଅଛି । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ଆସିପାରେ । ୨୩ରୁ ସାମାନ୍ୟ ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାତିି ଗତକାଲିଠାରୁ ୨ରୁ ୩ ଡିଗ୍ରୀ କମିଛି ।

Leave A Reply

Your email address will not be published.