ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର

ଭଦ୍ରକ ୨୫/୦୪: ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ପ୍ରହଲ୍ଲାଦ ସାହୁଙ୍କ ୭ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି । ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଥିଲା । ପରିବାର ଲୋକ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ । କିନ୍ତୁ ଘର ଭିତରେ ଗଛିତ ଥିବା ଧାନ, ଚାଉଳ, ସୁନା ଓ ନଗଦ ଟଙ୍କା କାଢି ନ ପାରିବାରୁ, ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏମିତି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ୧୫ହଜାର ନଗଦ ଟଙ୍କା ୪ଭରି ସୁନା ଓ ବିଭିନ୍ନ ଦରକାରୀ କାଗଜପତ୍ର ଧାନ, ଚାଉଳ, ଘରୋଇ ଉପକରଣ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଜଳୁଥିବାର ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ୍ କରିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Leave A Reply

Your email address will not be published.