ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍‌, ଜଣେ ମୃତ

କାମକ୍ଷାନଗର ୨୭।୦୪ : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲୁମୁଣ୍ଡ ଗାଁ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଗାଁର ଭିକାରିବର ପ୍ରଧାନ ଓ ସୁଚିସ୍ମିତା ଦାସ ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଯାଉଥିଲେ । ଭିକାରିଙ୍କ ଚିକିତ୍ସା ନିମନ୍ତେ ଉଭୟ କଟକ ଯାଉଥିଲେ। କିନ୍ତୁ ଏହି ସମୟରେ କାମାକ୍ଷାନଗର ଭାଲୁମୁଣ୍ଡ ଗାଁ ନିକଟରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତା ତଳକୁ ଖସିପଡିଥିଲା । ପରେ କାର୍‌ଟି ଏକ ପଥରରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଭିକାରିଙ୍କୁ ମୃତ ଘୋଷଣା କରିଛନ୍ତି। ସୁଚିସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତରିତ କରାଯାଇଛି। କାର୍‌ରେ ଡ୍ରାଇଭରଙ୍କୁ ମିଶାଇତ ମୋଟ ୫ ଜଣ ଥିଲେ। ଅନ୍ୟ ୩ ଜଣ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.