୫ ଦିନ ଯାଏଁ ଅସମ୍ଭାଳ ଗରମ

ଭୁବନେଶ୍ୱର ୨୮/୦୪:ସବୁଦିନ ସେଇ ସମାନ ଅବସ୍ଥା । ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ଅଗ୍ନି ବର୍ଷା । ଦିନ ତମାମ ଜାଳୁଛି, ଭାଜୁଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ରାତିରେ ବି ଆଶ୍ୱସ୍ତି ମିଳୁନି । କଲବଲ କରିଦେଲାଣି ଏ ଲମ୍ବା ଅବଧି ଗ୍ରୀଷ୍ମ ପ୍ରବାହ । ଆଉ କେତେ ଦିନ ଏମିତି କଲବଲ କରିବ ତାତି? ବର୍ଷା କେବେ ହେବ? ଏ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି କରି ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ । ତାଜା ପୂର୍ବାନୁମାନ ଯାହା, ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନିସ୍ତାର ନାହିଁ । ପ୍ରାୟ ମାସେ ହେବ ଜଳୁଥିବା ଆଭ୍ୟନ୍ତରୀଣ ଓଡ଼ିଶା ଆସନ୍ତା ୩/୪ ଭିତରେ ଆହୁରି ହୁତ୍‌ହୁତ୍‌ ହୋଇ ଜଳିବ । ପାରଦ ୪୫-୪୬ ଡିଗ୍ରୀ ଡେଇଁଯିବା ଆଶଙ୍କା ରହିଛି । ଉପକୂଳରେ ଏବେ ବିଶେଷ ବଢ଼ିନପାରେ । ହେଲେ ବିଶେଷ ଖସିବନି ବି ୨-୩ ଦିନ ଭିତରେ ।ଆଭ୍ୟନ୍ତରୀଣ ଓଡ଼ିଶା ଯେମିତି ଜଳୁଥିଲା, ସେମିତି ଜଳୁଛି । ଉପକୂଳରେ ମଙ୍ଗଳବାର ତାତି ସାମାନ୍ୟ ବଢ଼ିଥିବାବେଳେ ବୁଧବାର ତାପମାତ୍ରା ପୁଣି ବଢ଼ିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ବର୍ତ୍ତମାନ ୪-୫ ଦିନ ତାତିରୁ ନିସ୍ତାର ନାହିଁ । ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ମେ’ ପ୍ରଥମ ସପ୍ତାହରେ ତାତିରୁ ଆଶ୍ୱସ୍ତି ମିଳିପାରେ । ଆସନ୍ତା ୨-୩ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିପାରେ । ତେବେ ୨୯, ୩୦ ଓ ୧ ତାରିଖରେ କାଳବୈଶାଖୀ ସମ୍ଭାବନା ଅଛି । ଏହି କାଳବୈଶାଖୀ ହେଲେ ହିଁ ତାତି ଖସିବ ।

Leave A Reply

Your email address will not be published.