ଅସମ୍ଭାଳ ତାତି, ୩ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର ୨୯।୦୪ : ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ… ଜଳୁଛି । ତ୍ରାହି ନାହିଁ । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି । ଚଳିତବର୍ଷ ପ୍ରଥମ ଥର ପାଇଁ ବୌଦ୍ଧ ସହର ଗୁରୁବାର ୪୫ ଡିଗ୍ରୀ ତାତିରେ ଭାଜି ହୋଇଯାଇଛି । ପାଣିପାଗ ରେକର୍ଡ ଅନୁସାରେ ଏପ୍ରିଲରେ ବୌଦ୍ଧ ପାଇଁ ଏହା ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା । ଖାଲି ସେତିକି ନୁହେଁ, ଗୁରୁବାର ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ୧୩ଟି ଜାଗାରେ ତାତି ୪୩ ଡିଗ୍ରୀ ଟପିଥିଲା । ସେଥିରୁ ୮ଟି ସହର ୪୪ ଡିଗ୍ରୀରୁ ଅଧିକ ତାତିରେ କଲବଲ ହୋଇଥିଲା । ପାଣିପାଗ ବିଭାଗ କହିଛି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଆଜିର ଦିନଟି ବର୍ଷର ସବୁଠୁ ଉତ୍ତପ୍ତ ଦିନ । ଆସନ୍ତା ୩ ଦିନ ପରେ ତାତି ସାମାନ୍ୟ କମିବ । କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ଲହରୀରେ ଲାଗିବ ବ୍ରେକ୍‌ । ଆସନ୍ତା ମେ’ ୧/୨ ତାରିଖବେଳକୁ ତାପମାତ୍ରା ୨ ଡିଗ୍ରୀ କମିପାରେ । ଯଦି ଏହି ଆକଳନ ସତ ହୁଏ, ଆସନ୍ତା ୧ ତାରିଖବେଳକୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭/୩୮ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଏବେ ୪୩-୪୫ ଡିଗ୍ରୀ ତାତିରେ ଭାଜି ହେଉଥିବାବେଳେ ସେତେବେଳକୁ ପାରଦ ୪୨ ଡିଗ୍ରୀକୁ ଖସିପାରେ । ଅର୍ଥାତ୍‌ ଆସନ୍ତା ୧/୨ ତାରିଖବେଳକୁ ତାତିରୁ ବଡ଼ ଆଶ୍ୱସ୍ତି ମିଳିବା ଆଶା କମ୍‌ ।

Leave A Reply

Your email address will not be published.