ବ୍ୟାନର ଓ ଲାଉଡସ୍ପିକରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ, ପୋଲିସର ଲାଠିଚାର୍ଜ

ଜୟପୁର,୦୩/୦୫: ଇଦରେ ହିଂସା । ରାଜସ୍ଥାନର ଯୋଧପୁରରେ ସୋମବାର ବ୍ୟାନର ଓ ଲାଉଡସ୍ପିକରକୁ ନେଇ ଦେଖାଯାଇଥିବା ହିଂସା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ମଙ୍ଗଳବାର ସକାଳେ ପୁଣି ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହି ହେବା ସହ ପଥର ମାଡ ହୋଇଛି । ଫଳରେ ପୋଲିସକୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିବାକୁ ପଡିଛି । ଏହାସହ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଛି ପୋଲିସ । ଏତତ ବ୍ୟତୀତ ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରେ, ସୋମବାର ରାତିରେ ଯୋଧପୁରର ଜାଲୋରୀ ଗେଟ ସ୍କୋୟାରରେ ଥିବା ସ୍ବାଧିନତା ସଂଗ୍ରାମୀ ବାଳ ମୁକୁନ୍ଦ ବିସ୍ସାଙ୍କ ମୂର୍ତ୍ତିରେ କେହି ଧର୍ମୀୟ ପତାକା ଲଗାଇଥିଲେ । ଇଦ ସମ୍ବନ୍ଧୀୟ ବ୍ୟାନର ଲଗାଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ଇଦ୍ ଅବସରରେ ନମାଜ ପାଠ ପାଇଁ ଏକ ସମ୍ପ୍ରଦାୟ ପକ୍ଷରୁ ଜାଲୋରୀ ଗେଟ ପର୍ଯ୍ୟନ୍ତ ଲାଉଡସ୍ପିକର ଲଗାଯାଇଥିଲା । ଫଳରେ ଅସନ୍ତୋଷ କୁହୁଳିଥିଲା । ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ବିରୋଧ କରିଥିଲେ । ସେମାନେ ବ୍ୟାନର ହଟାଇ ଦେଇଥିଲେ ।ତେବେ ବ୍ୟାନର ହଟାଇବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକେ ଏହାର ବିରୋଧ କରିଥିଲେ । ଫଳରେ ଉତ୍ତେଜନା ବଢିବା ସହ ପଥର ମାଡ ଯାଏଁ କଥା ଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ବଳପ୍ରୟୋଗ କରିଥିଲା।  ପୋଲିସ ଉପରେ ମଧ୍ୟ ପଥର ମାଡ ହୋଇଥିଲା ।  ମଙ୍ଗଳବାର ସକାଳେ ମଧ୍ୟ ଉଭୟ ପକ୍ଷ ମୁହାଁମୁହିଁ ହେବା ସହ ପଥର ମାଡ କରିଥିବା ଖବର ମିଳିଛି ।ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ହିଂସା ରୋକିବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।ଏହାସହ ପ୍ରଶାସନ ଇଣ୍ଟରନେଟକୁ ବାତିଲ କରିଦେଇଥିବା ଜଣାପଡିଛି ।

Leave A Reply

Your email address will not be published.