ମସ୍କୋ ଉପରେ ସବୁଠୁ ବିପଜ୍ଜନକ ବିମାନ ଉଡାଇଲା ଋଷ୍

ମସ୍କୋ ୫।୫: ଗତ ଦୁଇ ମାସ ହେବ ୟୁକ୍ରେନ୍ ଉପରେ ମିସାଇଲ୍ ଏବଂ ବିନାଶକାରୀ ବୋମା ମାଡ କରୁଥିବା ଋଷ୍ ଏବେ ଆମେରିକା ଏବଂ ନାଟୋ ଦେଶକୁ ବଡ ଚେତାବନୀ ଦେବାକୁ ଯାଉଛି । ଋଷ୍ ମେ’ ୯ରେ ହେବାକୁ ଥିବା ବାର୍ଷିକ ବିଜୟ ଦିବସରେ ଏମିତି ବିମାନ ଉଡାଇବାକୁ ଯାଉଛି ଯାହାକୁ ସାରା ବିଶ୍ବ ପ୍ରଳୟକାରୀ ବିମାନ ବୋଲି ମାନୁଛି । ଏହି ବିମାନକୁ ବିଜୟ ଦିବସ ପରେଡ୍‌ରେ ସାମିଲ କରିବାର ଅର୍ଥ ହେଉଛି ବିଶ୍ବକୁ ଏହି ଚେତାବନୀ ଦେବା ଯେ ସେମାନେ ୟୁକ୍ରେନ୍ ଯୁଦ୍ଧରେ ହସ୍ତକ୍ଷେପ କରନ୍ତୁ ନାହିଁ । ଅନ୍ୟଥା ଋଷ୍ ସେମାନଙ୍କଠାରୁ ପ୍ରତିଶୋଧ ନେଇପାରେ । ରିପୋର୍ଟ ଅନୁସାରେ ଋଷ୍‌ର ଏହି ପ୍ରଳୟକାରୀ ବିମାନର ନାଁ II-80 । ଏହା ଋଷ୍‌ର ସବୁଠୁ ବିପଜ୍ଜନକ ଷ୍ଟ୍ରାଟେଜିକ୍ ଫାଇଟର୍ ଜେଟ୍ ପ୍ଲେନ୍ । ଯାହାକୁ ନ୍ୟୁକ୍ଲିୟର ଆକ୍ରମଣ ଦ୍ବାରା ଶତ୍ରୁର ଚିହ୍ନବର୍ଣ୍ଣ ଶେଷ କରିଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଆମେରିକା ସମେତ କେତେକ ଦେଶରେ ଏହି ବିମାନକୁ ଅତ୍ୟନ୍ତ ବିପଜ୍ଜନକ ଏବଂ ମାନବିକତା ପାଇଁ ବିପଦ ବୋଲି ବିବେଚନା କରାଯାଏ । ଋଷ୍‌ର ଏହି ରଣନୈତିକ ବିମାନ ମେ’ ୯ରେ ହେବାକୁ ଥିବା ଜାତୀୟ ବିଜୟ ଦିବସ ପରେଡ୍‌ରେ ମସ୍କୋ ଉପରେ ଉଡାଣ ଭରିବ । ଦୁଇଟି ମିଗ୍-୨୯ ଜେଟ୍ ବିମାନ ଏହି ମହାବଳଶାଳୀ ବିମାନକୁ ଏକ୍ସର୍ଟ କରିବ । ବୁଧବାର ହୋଇଥିବା ରିହର୍ସଲ ପରେଡ୍‌ରେ ଏହି ବିନାଶକାରୀ ବିମାନକୁ ସହର ଉଫରେ ଉଡୁଥିବା ଦେଖିବାକୁ ମିଳିଥିଲା । ଏହାସହ ୟୁକ୍ରେନ୍ ରେ ସ୍ପେଶାଲ ମିଲିଟାରୀ ଅପରେସନ୍ ଚଳାଇଥିବା ଋଷ୍‌ ସୈନିକଙ୍କ ସମର୍ଥନରେ ୮ଟି ମିଗ୍-୨୯ ଏସଏମଟି ବିମାନ Z ଆକାର କରି ଆକାଶରେ ଉଡାଣ ଭରିଥିଲେ ।

Leave A Reply

Your email address will not be published.