ଓଡ଼ିଶାରେ ଟମାଟୋର ତିରୋଟ ସ୍ଥିତି: ୫ରେ ବିକି କ୍ଷତିସହିଲା ଚାଷୀ, ୩୦ ବେଳକୁ ନାହିଁ

ଭୁବନେଶ୍ବର : ମାସକ ତଳେ ୫ରୁ ୧୦ ଟଙ୍କାରେ ବିକି ଚାଷୀ କ୍ଷତି ସହିଲା। ମାତ୍ର, ଏବେ ୩୦ ଟଙ୍କାରେ ବିକ୍ରି କରୁଥିଲେ ବି ତା’ପାଖରେ ମହଜୁଦ୍‌ ନାହିଁ। ସେପଟେ ଜ୍ୟରେ ଆବଶ୍ୟକତା ଅନୁସାରେ ଟମାଟୋ ଉତ୍ପାଦନ ନହେବା, ବେଙ୍ଗାଲୁରୁ ଏବଂ କୋଲାରରୁ ଟମାଟୋ ଆସି ପାରୁନଥିବାରୁ ଓଡ଼ିଶା‌ରେ ଟମାଟୋର ଏ ତିରୋଟ ସ୍ଥିତି ଦେଖାଦେଇଛି। ଫଳରେ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଟମାଟୋ ଦର କେଜି ପିଛା ୫୦ରୁ ୮୦ ଟଙ୍କାରେ ପହଞ୍ଚିଛି। ଚାହିଦା ଅନୁସାରେ ଯୋଗାଣ ହୋଇ ପାରିନଥିବାରୁ ଦରବୃଦ୍ଧି ହୋଇଥିବା କହିଛନ୍ତି କଞ୍ଚା ପରିବା ସଂଘର ସଭାପତି କବିରାଜ ସ୍ବାଇଁ। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ରାଜ୍ୟରେ ୯୧ ହଜାର ୦୧୧ ହେକ୍ଟର ଜମିରେ ଚାଷ କରାଯାଇ ୧୩ ଲକ୍ଷ ୧୨ ହଜାର ୦୭୪ ମେଟ୍ରିକ ଟନ୍‌ର ଟମାଟୋ ଉତ୍ପାଦନ କରାଯାଇଥିଲା। ଅର୍ଥାତ ହେକ୍ଟର ପିଛା ଉତ୍ପାଦନ କ୍ଷମତା ୧୪.୪୨ମେଟ୍ରିକ ଟନ୍‌ ରହିଥିଲା। ୨୦୨୦ ମସିହା ବେଳକୁ ଚାଷ ପରିମାଣ ବୃଦ୍ଧି ପାଇ ୯୩ ହଜାର ୯୩୫ ହେକ୍ଟର ଜମିରେ ୧୪ ଲକ୍ଷ ୩୨ ହଜାର ୦୪୯ ମେଟ୍ରିକ ଟନ୍‌ ଟମାଟୋ ଚାଷ ହୋଇଥିଲା। ବର୍ତ୍ତମାନ ଉତ୍ପାଦନ ୧୫.୨୫ ମେଟ୍ରିକ ଟନ୍‌ ରହିଛି। ଟମାଟୋ ତିନିମାସିଆ ଫସଲ। ଅର୍ଥାତ ରାଜ୍ୟରେ ବର୍ଷକୁ ୩ରୁ ୪ଥର ଏହା ହେବା କଥା। କିନ୍ତୁ ରାଜ୍ୟରେ ୨ଥର ଅର୍ଥାତ ଜୁନ-ଜୁଲାଇ ଏବଂ ସେପ୍ଟେମ୍ବର-ଅକ୍ଟୋବର ମାସରେ ଗଛ ଲଗାଯାଏ। ସେପ୍ଟେମ୍ବର ଏବଂ ଜାନୁଆରିରେ ଫଳ ହେଉଛି। ସେହି ସମୟରେ ଉତ୍ପାଦନ ଏତେ ହୁଏ ଯେ ୨ଟଙ୍କାରୁ ୫ଟଙ୍କାରେ ମଧ୍ୟ ଗାଁ ଖଳାରେ ଟମାଟୋ ବିକ୍ରି ହୁଏ। ଅନ୍ୟ ସମୟର ଆବଶ୍ୟକତା ପୂରଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ଦ୍ବିତୀୟତଃ ଉଦ୍ୟାନ ବିଭାଗ ପକ୍ଷରୁ ଉତ୍ପାଦନ ଏବଂ ମାର୍କେଟିଂ ନେଇ ସମନ୍ବୟ ମଧ୍ୟ ରକ୍ଷା କରାଯାଇ ପାରୁନାହିଁ। ଏଥିଯୋଗୁଁ ଗ୍ରାହକ ଏବଂ ଚାଷୀ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି।

Leave A Reply

Your email address will not be published.