ବାତ୍ୟା ‘ଅସାନି’: ୪ ଜିଲ୍ଲାର ୧୫ଟି ବ୍ଲକ୍‌ର ଲୋକ ସ୍ଥାନାନ୍ତର ହେବେ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ରବିବାର ଦିନ ଭୀଷଣ ବାତ୍ୟାରେ ପରିଣତ ହେବା ସହ ଘଣ୍ଟା ପ୍ରତି ପ୍ରାୟ ୧୪କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ସମୁଦ୍ର ଭିତରେ ଘଣ୍ଟାକୁ ୯୦ରୁ ୧୧୫କିମି ବେଗରେ ପବନ ବହୁଥିବାରୁ ମଝି ସମୁଦ୍ର ଅଶାନ୍ତ ହେଲାଣି। ପୁରୀର ଦକ୍ଷିଣ ପୂର୍ବ ଦିଗରେ ୯୩୦କିମି ଦୂରରେ ବାତ୍ୟା ‘ଅସାନି’ ଥିଲେ ହେଁ ୧୦ତାରିଖ ସଂଧ୍ୟା ବେଳକୁ ସମୁଦ୍ର ମଧ୍ୟରେ ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି। ଏହାପରେ ଗତିପଥ ବଦଳାଇ ଉତ୍ତର-ପୂର୍ବ ଦିଗରେ ଯିବା ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବ। ବାତ୍ୟା ସ୍ଥଳଭାଗ ନଛୁଇଁଲେ ବି କିଛି ସମୟ ପାଇଁ ପବନ ଆଶଙ୍କା ଥିବାରୁ ଉପକୂଳ ୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ବାତ୍ୟାର ଗତିପଥ ଦେଖି ରାଜ୍ୟ ସରକାର ୪ଟି ଜିଲ୍ଲାର ୧୫ଟି ବ୍ଲକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏହାସହ ପ୍ରବଳ ବର୍ଷା, ପବନ ହେବାକୁ ଥିବାରୁ ୧୦ତାରିଖ ଅପରାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟି ଘର ଓ କୁଡ଼ିଆ ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.