ବାଲିଯାତ୍ରା ଭ୍ରମ ସୃଷ୍ଟି କଲା ବୈଶାଖୀ ବାଣିଜ୍ୟ

କଟକ: ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବୈଶାଖୀ ବାଣିଜ୍ୟ ମେଳାରେ ତୃତୀୟ ଦିନରେ ଆଜି ଅସମ୍ଭାଳ ଭିଡ଼ ‌ହୋଇଛି। ଆଜି ସଂଧ୍ୟାରେ ମେଳା ପରିସରରେ ବାଲିଯାତ୍ରା ଭିଡ଼ ଦେଖିବାକୁ ମିଳିଥଲା। ରବିବାର ଛୁଟି ଦିନ ଥିବାରୁ ଆଜି ଅପରାହ୍ନ ୫ଟାରୁ ମେଳାରେ ଜନସମାଗମ ଆରମ୍ଭ ହୋଇଥିଲା। ମେଳାରେ ଆଜି ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କାରବାର ମଧ୍ୟ କୋଟିଏରୁ ଅଧିକ ଟପିଥିଲା। ଭିଡ଼ ଅଧିକ ହେବାରୁ କିଛି ସମୟ ପାଇଁ ଟ୍ରାଫିକ ବ୍ୟବସ୍ଥ‌ା ବିଗିଡ଼ି ଯାଇଥିଲା। ପୁଲିସ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଓ ପୂର୍ବ ପ୍ରସ୍ତୁତି ତୁଳନାରେ ଢ଼େର୍‌ ଅଧିକ ଲୋକ ସମାଗମ ହେବାରୁ ଠିକ୍‌ ଭାବେ ଭିଡ଼ ନିୟନ୍ତ୍ରଣ କରାଯାଇପାରିନଥିଲା। ଉପର ବାଲିଯାତ୍ରା ପଡ଼ିଆ ନିକଟ ପାର୍କିଂ ସ୍ଥାନରେ ବାଇକ୍‌, ଚାରିଚକିଆ ଗାଡି ରଖିବାକୁ ଜାଗା ମିଳିନଥିଲା। ରିଂ-ବନ୍ଧର ହରିଣ ପାର୍କଠାରୁ ମାତାମଠ ଛକ, ବାରବାଟୀ ଷ୍ଟାଡିୟମ୍‌ଠାରୁ ଚଣ୍ଡୀଛକ, କ୍ୟାଣ୍ଟନମେଣ୍ଟ୍ ରୋଡ୍‌ରେ ମଧ୍ୟ ଗାଡି ପାର୍କିଂ କରାଯାଇଥିଲା। ସନ୍ଧ୍ୟା ୭ଟା ପରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଦୀର୍ଘ ଦୁଇବର୍ଷ ପରେ କଟକରେ କୌଣସି ବଡ଼ ମେଳା/ଉତ୍ସବ ହେଉଥିବାରୁ ଭିଡ଼ ଆହୁରି ବଢ଼ିବାର ସମ୍ଭାବନା ରହିଛି। ବାଣିଜ୍ୟ ମେଳା କମିଟି ଏଥିପ୍ରତି ଦୃଷ୍ଟି ନ ଦେଲେ ଦଳା ଚକଟା ପରିସ୍ଥିତି ଉପୁଜିବାର ମଧ୍ୟ ଆଶଙ୍କା ରହିଛି। ଟ୍ରାଫିକ୍‌ ବ୍ୟବସ୍ଥ‌ା ଶୃଙ୍ଖଳିତ କରିବା ସହିତ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବା ଓ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ବୈଶାଖୀ ବାଣିଜ୍ୟ ମେଳା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.