ମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳ

ଭୁବନେଶ୍ୱର, ୧୦/୦୫: ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନୀ’ର ବଳ ମଙ୍ଗଳବାରଠାରୁ କମିବ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଓଡ଼ିଶା ଉପକୂଳରୁ ଦୁର୍ବଳ ‘ଅସାନୀ’ ଏତେ ଦୂରରେ ଯିବ ଯେ ପବନର ଡର ନାହିଁ । କେବଳ ବର୍ଷା ହେବ । ସୋମବାରଠାରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସହ ହାଲୁକା ବର୍ଷା ଆରମ୍ଭ ହୋଇଛି । ୧୨ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।ଅସାନୀ ଭୀଷଣ ବାତ୍ୟା ରୂପ ନେଇ ସମୁଦ୍ରରେ ଆକଳନଠାରୁ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳରୁ ଢେର ଦୂରରେ ଏହା ସମୁଦ୍ରରେ ପଳାଇବ । ୧୨ ତାରିଖ ଭୋର ସାଢ଼େ ୫ଟାବେଳେ ପୁରୀଠାରୁ ୧୩୭ କିଲୋମିଟର ଦୂରରେ ସମୁଦ୍ରରେ ଯାଉଥିବ । ସେତେବେଳେ ବାତ୍ୟା ନଥିବ, ଥିବ ଗଭୀର ଅବପାତ । ଦିନ ସାଢ଼େ ୧୧ଟାବେଳକୁ ଅବପାତ ହୋଇସାରିଥିବ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ପାଗ ମେଘୁଆ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସମେତ କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗଜପତି, ପୁରୀ, ଗଞ୍ଜାମର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୧ ତାରିଖ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଉପକୂଳ ଓଡ଼ିଶାର ଅନେକ ଜାଗା ସମେତ ଆଭ୍ୟନ୍ତରୀଣର କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୩ରେ ବିଶେଷ ବର୍ଷା ନାହିଁ । ଉତ୍ତର ଉପକୂଳର ଅଳ୍ପ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।ରାଜ୍ୟକୁ ପବନର ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦-୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିବ । ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକ ପାଇଁ ୨ ନଂ ବିପଦ ସଙ୍କେତ ଜାରି ହୋଇଛି ।

Leave A Reply

Your email address will not be published.