ସମ୍ବଲପୁର-ଅନୁଗୁଳ ରାଜପଥ ନିର୍ମାଣ: ଅନ୍ୟ ଠିକାସଂସ୍ଥା ଦ୍ବାରା କାମ ଆରମ୍ଭ ହେବ

ଅନୁଗୁଳ/ସମ୍ବଲପୁର : ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍‌ଷ୍ଟ୍ରକସନ୍‌ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା। ଏବେ ସବ୍-କଣ୍ଟ୍ରାକ୍ଟ୍‌ ଜରିଆରେ ଅନ୍ୟ ଠିକା ସଂସ୍ଥା ଦ୍ବାରା କାମ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପଟେ ଏହି ରାସ୍ତା କାମ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଛି। ଏହି କଟକ-ସମ୍ବଲପୁର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ଶିଳାନ୍ୟାସ ୨୦୧୮ରେ କରାଯାଇଥିଲା। ୨୦୨୦ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ରାସ୍ତା ପ୍ରଶସ୍ତୀକରଣ ଶେଷ ହୋଇନି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନିର୍ମାଣ କାମ ଏ ପର୍ଯ୍ୟନ୍ତ ଅଧାଅଧି ବି ହୋଇନି। ବିଭିନ୍ନ କାରଣ ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଥିଲାବେଳେ କାମ କରୁଥିବା ଠିକାସଂସ୍ଥା ଦେବାଳିଆ ହେବାରୁ କାମ ଅଧିକ ବିଳମ୍ବିତ ହୋଇଛି। ଏପରିକି ପାଖାପାଖି ବର୍ଷେ ହେବ କାମ ଏକପ୍ରକାର ଠପ୍ ହୋଇଯାଇଛି। ତେଣୁ ଜାତୀୟ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏହି କାମ ପାଇଁ ସବ୍ କଣ୍ଟ୍ରାକ୍ଟ୍‌ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.