ସୁନ୍ଦରଗଡ଼: ଆଧୁନିକ ସଭ୍ୟତାର ବିକାଶ ସହ ଯୋଡ଼ି ହୋଇଯାଇଛି ଭୂତଳ ପ୍ରାଚୁର୍ଯ୍ୟ କଳାହୀରା ବା କୋଇଲା। ତେବେ ଏ ବିକାଶର କଳାହୀରା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପାଇଁ ବିନାଶର କାରଣ ହେବ। ହେମଗିର ତଳେ ଥିବା କୋଇଲାର ବିଶାଳ ଭଣ୍ଡାର ଓ ଆଜକୁ ୨୫ ବର୍ଷ ଧରି ଚାଲିଥିବା ତାର ଖନନ, ଉତ୍ତୋଳନକୁ ଦେଖିଲେ ଏହି ଆଶଙ୍କା ସୃଷ୍ଟି ହେଉଛି। ଖଣିଜନିତ ବିସ୍ଥାପନ, ଜଙ୍ଗଲ କ୍ଷୟ ଓ ଧ୍ବସ୍ତବିଧ୍ବସ୍ତ ଗାଁ ଭୂଇଁ, ସବୁଜ ଧାନ କ୍ଷେତ, ପାହାଡ଼, ନଦୀନାଳର ମୃତ୍ୟୁ ଏହି ଆଶଙ୍କାକୁ ବହୁଗୁଣିତ କରିଛି। ଏମସିଏଲ, ଏନଟିପିସି, ଓସିପିଏଲର ୫ଟି କୋଇଲା ଖଣି ପ୍ରକଳ୍ପ ପରେ ହେମଗିର ଅଞ୍ଚଳରେ ଆଗକୁ ଆହୁରି ୧୮ଟି ଖଣି ଖୋଲିବାକୁ ପ୍ରସ୍ତାବ ରହିଛି। ସେସବୁ ଖଣି ଖନନ ପରେ ହେମଗିର ଭୂଗୋଳପୋଥିରୁ ନିଶ୍ଚିହ୍ନ ହୋଇଯିବ। ପ୍ରାୟ ୧୯ଟି ପଞ୍ଚାୟତର ୧୨୫ ଗାଁ ଓ ବିଶାଳକାୟ ବନଭୂମି ଖଣିର ଆଁ ଭିତରେ ଲୀନ ହୋଇଯିବ। ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ୯୩୪ ବର୍ଗ କିଲୋମିଟର ଭୂମିରେ ହେମଗିର ବ୍ଲକ୍ ବା ଅଞ୍ଚଳ ଅବସ୍ଥିତ। ସେଥିରୁ ୬୨୩ ବର୍ଗ କିଲୋମିଟର କେବଳ ଘଞ୍ଚ ଜଙ୍ଗଲ। ଏହାରି ତଳେ କାର୍ଯ୍ୟକ୍ଷମ ୩ଟି ରାଷ୍ଟ୍ରାୟତ୍ତ କମ୍ପାନିର ୫ କୋଇଲା ଖଣି ସମେତ ପ୍ରସ୍ତାବିତ ୨୫ କୋଇଲା ଖଣିର ୩୫୨.୮୩ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୩୦୧୯୪.୯୪୪ ମିଲିୟନ ଟନ୍ କୋଇଲା ଗଚ୍ଛିତ ରହିଛି। କାର୍ଯ୍ୟକ୍ଷମ ୫ଟି ଖଣି ଏମସିଏଲ ବସୁନ୍ଧରା ପୂର୍ବ, ପଶ୍ଚିମ ସମ୍ପ୍ରାସରଣ ପ୍ରକଳ୍ପରେ ୨୨୭.୬୨ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଥିବା ବେଳେ କୁଲଡା ପ୍ରକଳ୍ପରେ ୨୭୯.୨୦ ହେକ୍ଟର, ଗର୍ଜନବାହାଲ ପ୍ରକଳ୍ପ ୮୮.୯୦ ହେକ୍ଟର ଜଙ୍ଗଲ ନଷ୍ଟ ହେବ। ଏହା ସହ ଏମସିଏଲର ୪ଟି ଖଣିରେ ୪ଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି ଓ ଆଗକୁ ଆହୁରି ୧୦ଟି ଗାଁ ବିସ୍ଥାପିତ ହେବେ। ସେହିପରି ଏନଟିପିସି ଡୁଲିଙ୍ଗା ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ୩୨୩.୦୯ ହେକ୍ଟର ଜଙ୍ଗଲ ନଷ୍ଟ ଓ ୪ଟି ଗାଁ ବିସ୍ଥାପିତ ହେଉଥିବା ବେଳେ ଓସିପିଏଲ ମନୋହରପୁର ଓ ମନୋହରପୁର ଡିପ୍ସାଇଡ୍ ପ୍ରକଳ୍ପ ୬୧୧.୧୪୮ ହେକ୍ଟର ଜଙ୍ଗଲ ନଷ୍ଟ ଓ ୪ଟି ଗାଁ ବିସ୍ଥାପିତ ହୋଇଛନ୍ତି। ୫ ଖଣି ପାଇଁ ବ୍ଲକ୍ ଜନସଂଖ୍ୟାର ଏକଦଶମାଂଶ ବିସ୍ଥାପିତ ହୋଇଥିବାବେଳେ ମୋଟ ଜଙ୍ଗଲର ଏକ ସପ୍ତମାଂଶ ନଷ୍ଟ ହୋଇସାରିଛି। ଉକ୍ତ ପ୍ରସ୍ତାବିତ ୧୮ଟି ଖଣି ଖୋଲିଲା ପରେ ଉଭୟ ବିସ୍ଥାପନ ଓ ଜଙ୍ଗଲ ନଷ୍ଟ ବହୁଗୁଣ ବଢ଼ିଯିବ। ହେମଗିର ଧ୍ବଂସସ୍ତୁପରେ ପରିଣତ ହୋଇଯିବ। ସିଆରମାଲ ପ୍ରକଳ୍ପ ୩୪୯.୭୦୯ ହେକ୍ଟର ଜଙ୍ଗଲ ନଷ୍ଟ ହେବାକୁ ଥିବା ବେଳେ ୟୁଏମପିପି ମୀନାକ୍ଷୀ ଏ, ମୀନାକ୍ଷୀ ବି, ମୀନାକ୍ଷୀ ପଶ୍ଚିମ ଓ ଡିପସାଇଡ୍ ମୀନାକ୍ଷୀ ପ୍ରକଳ୍ପ ୪ ଶହ ହେକ୍ଟର, ବେଦାନ୍ତ ଷ୍ଟେରେଲାଇଟ୍ ବିଜାହାନ ପ୍ରକଳ୍ପ ୬୦୮.୬୪ ହେକ୍ଟର ଓ ଜାମକାନି ପ୍ରକଳ୍ପ ୨୧୨ ହେକ୍ଟର ଜଙ୍ଗଲ ମୋଟ ୩୧୦୦.୩୦୭ ହେକ୍ଟର ଜଙ୍ଗଲ ଖଣି ଗର୍ଭରେ ଲୀନ ହୋଇଯିବ। ଆଗକୁ ହେମିଗରର ପ୍ରସ୍ତାବିତ କୋଇଲା ଖଣି ପ୍ରକଳ୍ପ ମଧ୍ୟରେ ବନପତ୍ରା ପ୍ରକଳ୍ପ ୮.୩୬ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ୧୦୨୦.୫ ମିଲିୟନ ଟନ୍ କୋଇଲା ଗଚ୍ଛିତ ଥିବା ବେଳେ ବୁଡ଼ାଝରିଆ ପ୍ରକଳ୍ପ ୭.୪୯ ବର୍ଗ କିମିରେ ୩୫୦ ମିଲିୟନ ଟନ୍, ବୁଡ଼ାପାହାଡ଼ ପ୍ରକଳ୍ପ ୬.୦୭ ବର୍ଗ କିମିରେ ୬ ଶହ ମିଲିୟନ ଟନ୍, ଚତୁର୍ଦ୍ଦାରା ପ୍ରକଳ୍ପ ୩.୮୮ ବର୍ଗକିମିରେ ୧୨୭.୨୩୩ ମିଲିୟନ ଟନ୍, ଛତାବର ପ୍ରକଳ୍ପ ୧୧.୩୨ ବର୍ଗକିମିରେ ୬୧୦ ମିଲିୟନ ଟନ୍, ଡିପସାଇଡ୍ ଛତାବର ପ୍ରକଳ୍ପ ୨୨.୬୯ ବର୍ଗ କିମିରେ ୨୫୦୦ ମିଲିୟନ ଟନ୍, ରାମ୍ଫିଆ ପ୍ରକଳ୍ପ ୭.୫୧ ବର୍ଗକିମିରେ ୨୮୫.୨୩ ମିଲିୟନ ଟନ୍, ଡିପସାଇଡ୍ ରାମ୍ଫିଆ ପ୍ରକଳ୍ପ ୫.୨୨ ବର୍ଗ କିମିରେ ୩୫୦ ମିଲିୟନ ଟନ୍ କୋଇଲା ଗଚ୍ଛିତ ରହିଛି। ସେହିପରି ଘୋଘରପାଲି ଓ ଡିପସାଇଡ୍ ପ୍ରକଳ୍ପ ୧୪.୩୯ ବର୍ଗ କିମିରେ ୧୨୮୮.୨୮୪ ମିଲିୟନ ଟନ୍, ହେମଗିର-୧ ପ୍ରକଳ୍ପ ୨୫.୫୧ ବର୍ଗ କିମିରେ ୨୮୦୦ ମିଲିୟନ ଟନ୍, ହେମଗିର-୨ ୨୨.୯୮ ବର୍ଗ କିମିରେ ୨୫୦୦ ମିଲିୟନ ଟନ୍, ପ୍ରଜାପରା ପ୍ରକଳ୍ପ ୫.୮୨ ବର୍ଗକିମିରେ ୯୭୨.୯୭ ମିଲିୟନ ଟନ୍, ଡିପସାଇଡ୍ ପ୍ରଜାପରା ପ୍ରକଳ୍ପ ୫.୮୨ ବର୍ଗ କିମିରେ ୯୭୨.୯୭ ମିଲିୟନ ଟନ୍, ରୋହିଣୀ ପ୍ରକଳ୍ପ ୩୫.୬୩ ବର୍ଗକିମିରେ ୧୦୪.୨୦୧ ମିଲିୟନ ଟନ୍, ଟାଙ୍ଗରଡିହି ପ୍ରକଳ୍ପ ୧୯.୪୫ ବର୍ଗ କିମିରେ ୨୮୦୦ ମିଲିୟନ ଟନ୍, ଟାଙ୍ଗରଡିହି ପୂର୍ବ ପ୍ରକଳ୍ପ ୨୫.୯୬ ବର୍ଗ କିମିରେ ୨୬୯୯ ମିଲିୟନ ଟନ୍, ଉସ୍ତାଲି ପ୍ରକଳ୍ପ ୨୭.୧୫ ବର୍ଗକିଲୋମିଟର ଅଞ୍ଚଳରେ ସବୁଠାରୁ ଅଧିକ ୩୦୦୦ ମିଲିୟନ ଟନ୍ କୋଇଲା ଗଚ୍ଛିତ ରହିଛି। ଏସବୁ କୋଇଲା ଖନନ ପାଇଁ ୧୮ଟି ଖଣି ପ୍ରସ୍ତାବ ଥିବା ବେଳେ ଏଥିରେ ଭୂମି ଉପରେ କାହିଁ କେଉଁ କାଳଖଣ୍ଡରୁ ଥିବାର ବହୁ ଜୈବ ବିବିଧତାରେ ପରିପୂର୍ଣ୍ଣ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ ସହ ହେମଗିର ଅଞ୍ଚଳର ଗାଁ ଭୂଇଁ ଏ ଧରାପୃଷ୍ଠରୁ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ। ଜୀବନ ଛଳଛଳ ଏକ ବିଶାଳ ଭୂଖଣ୍ଡ ପାଲଟିଯିବ ମଶାଣି।