ଶ୍ରମିକ ଦିବସରେ ଡମି ଚେକ୍‌ ବାଣ୍ଟି ଠକିଦେଲେ

ରାଉରକେଲା: ନିକଟରେ ପାଳିତ  ଶ୍ରମିକ ଦିବସରେ ନିର୍ମାଣ ଶ୍ରମିକଙ୍କୁ ଭଣ୍ଡାଇଛନ୍ତି ଜିଲ୍ଲା ଶ୍ରମ ବିଭାଗ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତି ଜିଲ୍ଳାପାଳ ଡ. ଶୁଭଙ୍କର ମହାପାତ୍ର ଓ ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ କିଛି ନିର୍ମାଣ ଶ୍ରମିକଙ୍କୁ ଡମି ଚେକ୍‌ ବାଣ୍ଟିଲେ। ଜଣେ କି ଦୁଇଜଣ ନୁହେଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀମାନେ ମୋଟ ୮୯୫ ନିର୍ମାଣ ଶ୍ରମିକଙ୍କୁ ୨ କୋଟି ୩୪ ଲକ୍ଷ ୫୩ ହଜାର ୬୦୦ ଟଙ୍କାର ସହୟତା ଘୋଷଣା କଲେ। ଡମି ଚେକ୍‌ ପାଇଁ ନିର୍ମାଣ ଶ୍ରମିକ ଓ ତାଙ୍କ ପରିବାର ବେଶ୍‌ ଖୁସି  ହୋଇଥିଲେ। ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ଦିଆଯିବ ବୋଲି ଘୋଷଣା କରାଗଲା। ଦୁଇ ଦିନ କି ସପ୍ତାହ ତ ଦୂର କଥା ଦେଢ଼ ମାସ ବିତିଗଲା ହେଲେ ଆଜି ପର୍ଯ୍ୟନ୍ତ  ନିର୍ମାଣ ଶ୍ରମିକଙ୍କୁ ଖାତାକୁ ଟଙ୍କାଟିଏ ସହାୟତା ରାଶି ଆସିଲାନି। କେବେ ଆସିବ ଶ୍ରମ ବିଭାଗର ବିଭାଗୀୟ ଅଧିକାରୀଙ୍କ ନିକଟରେ ସନ୍ତୋଷଜନକ ଉତ୍ତର ନାହିଁ। ଗତ ୪ ମାସ ତଳେ ପାଖାପାଖି ୮ କୋଟିର ନିର୍ମାଣ ଶ୍ରମିକ ସହୟତା ବଣ୍ଟା ହେବାକୁ ଥିଲେ ମଧ୍ୟ ବଣ୍ଟା ଯାଇପାରି ନଥିଲା। ଏବେ ଶ୍ରମିକ ଦିବସରେ ଡମି ଚେକ୍ ପ୍ରଦାନ କରି ଠିକ ଦେଇଥିବାରୁ ନିର୍ମାଣ ଶ୍ରମିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ସ୍ବର ଉତ୍ତୋଳନ କରୁଥିବା ଶ୍ରମିକ ସଙ୍ଗଠନର ନେତାମାନେ ଚୁପ୍‌ ରହିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଳେଖଯୋଗ୍ୟ, ନିକଟରେ ଜିଲ୍ଲା ଶ୍ରମ ବିଭାଗରୁ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୮୯୫ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ବାବଦରେ ୨ କୋଟି  ୩୪ ଲକ୍ଷ ୫୩ ହଜାର ୬୦୦ ଟଙ୍କା ବଣ୍ଟନ କରାଯିବାକୁ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.