ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଏୟାର୍‌ଷ୍ଟ୍ରିପ୍‌ ସଂପ୍ରସାରଣ ସ୍ୱପ୍ନ: ବ୍ରହ୍ମପୁର ବିମାନବନ୍ଦର ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନି

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟରେ ରହିଥିବା ସର୍ବପୁରାତନ ବ୍ରିଟିସ ଅମଳର ଏୟାର‌୍‌ଷ୍ଟ୍ରିପ୍‌କୁ ସବୁଦିନିଆ ବିମାନବନ୍ଦର କରିବା ପାଇଁ ଯୋଜନା ରହିଛି। ହେଲେ, ଏଥିପାଇଁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ବି ମଂଜୁର ହୋଇ ନଥିବା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ଯାହାକି ଏ ନେଇ ଚାଲିଥିବା ଭିନ୍ନ ଭିନ୍ନ ଯୁକ୍ତି, ବୟାନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। ପ୍ରାଶାସନିକ ଅଧିକାରୀ ବିଭିନ୍ନ ସମୟରେ ଏୟାର୍‌ଷ୍ଟ୍ରିପ୍‌କୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିମାନବନ୍ଦର ସ୍ବପ୍ନ ପୂରଣ ହେବା ନେଇ ଆଶା ଦେଖାଉଛନ୍ତି। କିନ୍ତୁ ଏଥିପାଇଁ ଟଙ୍କା ମଂଜୁର ହୋଇ ନଥିବାରୁ ଏହି ଆଶା ପୂରଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ପ୍ରାୟ ୩୮ଏକର ଜମିରେ ତିଆରି ହୋଇଥିବା ଏୟାର୍‌ଷ୍ଟ୍ରିପ୍‌ରେ ଥିବା ୮୩୨ ମିଟର‌୍‌ ରନ୍‌ୱେକୁ ଦ୍ବିଗୁଣିତ କରି ୧୮ଶହ ମିଟର‌୍‌ କରିବାକୁ ଯୋଜନା ହୋଇଥିଲା। ହେଲେ, ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ କାମ ଆଗେଇ ପାରୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏହାକୁ ନେଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ର ଆର୍‌ଟିଆଇ ବଳରେ ତଥ୍ୟ ମାଗିଥିଲେ। ମିଳିଥିବା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଅଦ୍ୟାବଧି କୌଣସି ଅର୍ଥ ମଂଜୁର କରାଯାଇ ନାହିଁ। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ କୌଣସି ପ୍ରସ୍ତାବ ଦିଆଯାଇ ନଥିବା ସେଥିରେ ଉଲ୍ଲେଖ ରହିଛି। ଏହି ସୂଚନାରୁ ସ୍ପଷ୍ଟ ହେଉଛି ଯେ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ସବୁ ଦିନିଆବିମାନ ବନ୍ଦର କରିବା କାମ ଆଦୌ ଆଗେଇ ନାହିଁ। କେବଳ ରଂଗେଇଲୁଣ୍ଡା ଗ୍ରାମର ୩.୯୨୦ ଏକର ଓ କରାପଲ୍ଲୀ ଗ୍ରାମର ୧୯.୦୫୮ ଏକର ଜମି ବିମାନବନ୍ଦର ପାଇଁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି। କିନ୍ତୁ ଜମି ଅଧିଗ୍ରହଣ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିସ ସରକାରଙ୍କ ଦ୍ବାରା ରଂଗେଇଲୁଣ୍ଡା‌ ଏୟାର୍‌ଷ୍ଟ୍ରିପ୍‌ ନିର୍ମାଣ ହୋଇଥିଲା।

Leave A Reply

Your email address will not be published.