କୋଟିପତି ଦୁଷ୍ମନ୍ତର ସିମ୍ ମାମଲା: ଓଟିପି ବିକି ମିକ୍ସଚର୍‌ ଫ୍ୟାକ୍ଟ୍ରି ମାଲିକ

କଟକ : ସାଇବର୍ ଅପରାଧୀଙ୍କ କୋଟିପତି ଏଜେଣ୍ଟ ଦୁଷ୍ମନ୍ତ ସାହୁ ୩ ଲକ୍ଷ ଓଟିପି ବିକ୍ରି କରି ସେହି ଟଙ୍କାରେ ଏକ ମିକ୍ସଚର ଫ୍ୟାକ୍ଟ୍ରି ଖୋଲିଛି। ସାଇବର୍ ଅପରାଧୀଙ୍କ ଏହି ଟଙ୍କାରେ ଫ୍ୟାକ୍ଟ୍ରି ସହିତ ଚାରି ଚକିଆ ଗାଡ଼ି, ଘର କରିଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ସାଇବର୍ ଅପରାଧୀଙ୍କ ହ୍ବାଟସଆପରେ ୪ଟି ‘ବାୟର୍ ସେଲର୍ (କ୍ରେତା-ବିକ୍ରେତା) ଅଫ୍ ଓଟିପି ଗ୍ରୁପ୍‌’ ବି ଠାବ କରିଛି। ପ୍ରତି ଗ୍ରୁପରେ ପାଖାପାଖି ୨୦୦ ସଦସ୍ୟ ଲେଖାଏଁ କରି ପାଖାପାଖି ୮୦୦ ସଦସ୍ୟ ଥିବା କୁହାଯାଉଛି। ଏମାନେ ସମସ୍ତେ ବିଭିନ୍ନ ରାଜ୍ୟର ଏଜେଣ୍ଟ। ଦୁଷ୍ମନ୍ତ ଏହି ଗ୍ରୁପରେ ଦୈନିକ୨ ହଜାର ଓଟିପି ସାଇବର୍ ଅପରାଧୀଙ୍କୁ ୫୦୦ ଟଙ୍କାରେ ବିକ୍ରି କରୁଥିଲା। ଦୁଷ୍ମନ୍ତ ନିକଟରୁ ଜବତ ହୋଇଥିବା ପ୍ରିଆକ୍ଟିଭ୍ ସିମ୍‌ରୁ କେଉଁ ନମ୍ବରର ଓଟିପି ଏହି ଗ୍ରୁପରେ ବିକ୍ରି ହୋଇଛି, ସେ ସମ୍ପର୍କରେ ହ୍ବାଟସଆପ୍ ଗ୍ରୁପ ଯାଞ୍ଚ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ ଟିମ୍। ସୂଚନା ଅନୁଯାୟୀ, ୨୦୨୦ ଏପ୍ରିଲ ୧୮ରୁ ଦୁଷ୍ମନ୍ତ ପ୍ରଥମେ ‘ବାୟର୍ ସେଲର୍ ଅଫ୍ ଓଟିପି ଗ୍ରୁପ୍‌’ରେ ଫେସବୁକ ମାଧ୍ୟମରେ ଓ ପରେ ହ୍ବାଟସଆପରେ ଯୋଡ଼ି ହୋଇ ପାଖାପାଖି ୧୫ କୋଟି ଟଙ୍କା ରୋଜଗାର କରିଥିବା ଆକଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା ଜବତ ହୋଇଥିବା ବେଳେ ୯ ଲକ୍ଷ ୫୬ ହଜାର ଟଙ୍କା ଅଚଳ ହେଲାଣି। ପୂର୍ବରୁ ୭ଟି ବ୍ୟାଙ୍କ୍ ଆକାଉଣ୍ଟ ଓ ତିନୋଟି ପେଟେମ୍ ଆକାଉଣ୍ଟ ଜବତ ହୋଇଥିବା ବେଳେ ବୁଧବାର ଆହୁରି ୨ଟି ପେଟେମ୍ ଆକାଉଣ୍ଟ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହି ପେଟେମ୍ ଆକାଉଣ୍ଟରେ କେତେ ପରିମାଣର ଟଙ୍କା କାରବାର ହୋଇଛି, ସେ ନେଇ କ୍ରାଇମବ୍ରାଞ୍ଚ ପେଟେମକୁ ଚିଠି ଲେଖିଛି। ପେଟେମ୍ ବ୍ୟାଙ୍କରେ ଦୁଷ୍ମନ୍ତ ଏହି ଆକାଉଣ୍ଟ ଖୋଲି ଟଙ୍କା କାରବାର କରୁଥିଲା।

Leave A Reply

Your email address will not be published.