ମାଟ୍ରିକ୍‌ ପରୀକ୍ଷାର୍ଥୀ ଅନୁପସ୍ଥିତ ପ୍ରସଙ୍ଗ: ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷାରେ କେ‌ତେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି? ସେମାନେ କାହିଁକି ପରୀକ୍ଷା ଦେଲେ ନାହିଁ? ପାରିବାରିକ ସମସ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି? ପିଲା ନିଜେ ଫର୍ମ ପୂରଣ କରିଛନ୍ତି ନା ତାଙ୍କ ପାଇଁ ଆଉ କିଏ କରିଛନ୍ତି? ଏଭଳି ପ୍ରସଙ୍ଗକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ତୃଣମୂଳସ୍ତରରୁ ଖୋଲତାଡ଼ ଆରମ୍ଭ ହୋଇଛି। ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରତିଟି ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ବିଦ୍ୟାଳୟ କର୍ତୃପକ୍ଷ ଅଲଗା ଅଲଗା କରି ଦାଖଲ କରିବାକୁ କୁହାଯାଇଛି। କେଉଁ କାରଣ ଲାଗି ପିଲା ପରୀକ୍ଷାରେ ଭାଗ ନେଲେ ନାହିଁ ତାହାର ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ପାଇବା ପରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ ପ୍ରଧାନଶିକ୍ଷକମାନଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଯେତେଶୀଘ୍ର ସମ୍ଭବ ପିଲାଙ୍କ ଅନୁପସ୍ଥିତିର ତଥ୍ୟ ଗୁଗୁଲ ଫର୍ମରେ ଦେବାକୁ କୁହାଯାଇଛି। ଏଥିରେ ଜିଲ୍ଲା, ବ୍ଲକ, ସ୍କୁଲର ନାମ, ସ୍କୁଲର ୟୁଡିଆଇଏସ୍‌ଇ କୋଡ୍‌, ପ୍ରଧାନଶିକ୍ଷକ ନାମ ଓ ମୋବାଇଲ୍‌ ନମ୍ବର, ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ନାମ, ରୋଲ୍‌ ନମ୍ବର ଆଦି ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀ ଜଣକ ଫର୍ମ ପୂରଣ କରିଥିଲେ କି ନାହିଁ? ଏଫ୍‌ଏ-୧, ଏଫ୍‌ଏ-୨, ଏଫ୍‌ଏ-୩, ଏଫ୍‌ଏ-୪ ପରୀକ୍ଷା ଦେଇଥିଲେ କି ନାହିଁ? ସମିଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷାରେ ଭାଗ ନେଇଥିଲେ କି ନାହିଁ? ଏବେ ସେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ରହିଛନ୍ତି କି? ପରୀକ୍ଷାରେ ଅନୁପସ୍ଥିତ ରହିବାର କାରଣ କ’ଣ? ଆଦି ବିଷୟରେ ଜଣାଇବାକୁ ପ୍ରଧାନଶିକ୍ଷକମାନଙ୍କୁ କୁହାଯାଇଛି। ଏସ୍‌ଏ-୨ରେ ଅନୁପସ୍ଥିତ ଥିବା ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଫିଲ୍‌ ଅପ୍‌ କରି ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୭ ଦିନ ସମୟ ଦିଆଯାଇଥିବାରୁ ତା’ପୂର୍ବରୁ ପ୍ରଧାନଶିକ୍ଷକମାନେ ଡିଇଓମାନଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।

Leave A Reply

Your email address will not be published.