ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ଆସୁଛି ନୂଆ ତଥ୍ୟ: ଡିଜିଙ୍କଠାରୁ ଅନୁମତି ନେବାକୁ କହିଥିଲା ପ୍ରତ୍ନତତ୍ତ୍ବ ବିଭାଗ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯାହା ବି କାମ ହେଉଛି, ସେଥିପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କଠାରୁ ଅନୁମତି ନିଅ। ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ‌ଛାଡ଼ିଦେଲେ, ଅନ୍ୟ କେହି ବି ଏଥିପାଇଁ ଅନୁମତି ଦେବାକୁ ପ୍ରାଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି। ଯଦି ମରାମତି କାମ ଅଛି, ଏନ୍‌ଏମ୍‌ଏଠାରୁ ଅନୁମତି ନେଇପାରିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବର୍ଷକ ତଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଆବେଦନପତ୍ରର ଉତ୍ତରରେ ଏଭଳି ଜବାବ ରଖିଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଜଣେ ନୁହେଁ, ୫ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପ୍ରକଳ୍ପ କାର୍ଯ୍ୟର ପ୍ରାକ୍‌ ଅନୁଧ୍ୟାନ ପରେ ଏହି ଉତ୍ତର ରଖିଥିଲା ପ୍ରତ୍ନତତ୍ତ୍ବ ବିଭାଗ। ତଥାପି ଏହାକୁ ହେୟଜ୍ଞାନ କରି ନିର୍ମାଣ କାର୍ଯ୍ୟ କରାଯାଇଛି। ଯାହା ଆଜି ମୂଳ ବିବାଦର କାରଣ ହୋଇଛି। ସେପଟେ କେବଳ ମରାମତି କାମ କରିବାକୁ ଏନ୍‌ଏମ୍‌ଏକୁ କ୍ଷମତା ପ୍ରଦାନ କରାଯାଇଥିଲେ ବି କେଉଁ ପରିସ୍ଥିତିରେ ଏନ୍‌ଏମ୍‌ଏ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ୟ ପ୍ରକଳ୍ପ ପାଇଁ ଏନ୍‌ଓସି ପ୍ରଦାନ କଲା, ତାହା ସନ୍ଦେହ ଜାତ କରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ ଅନୁଯାୟୀ, ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳର ଉତ୍ତର-ପୂର୍ବ କୋଣରେ ୪୮୫ ବର୍ଗମିଟର ଜାଗାରେ ୩.୨୦୮ ମିଟର ଉଚ୍ଚର ଏକ କ୍ଲୋକ୍‌ ରୁମ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ବାରରେ ୨୬.୭୧୦ ବର୍ଗମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର ଉଚ୍ଚର ତିନୋଟି ମିନି କ୍ଲୋକ୍‌ ରୁମ, ଦକ୍ଷିଣ-ପୂର୍ବଦ୍ବାର କୋଣରେ ତିନି ମହଲା(ପ୍ରତି ମହଲା ୨୬୩୮.୯୧୧ ବର୍ଗ ମିଟର ଜାଗା) ବିଶିଷ୍ଟ ୧୩.୮୦୦ ମିଟର ଉଚ୍ଚର ଶ୍ରୀଜଗନ୍ନାଥ ରିସେପ୍‌ସନ୍‌ ସେଣ୍ଟର, ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ବାରରେ ୨୬.୭୧୦ ବର୍ଗମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର ଉଚ୍ଚର ତିନିଟି ସୂଚନା ଓ ଦାନ କିଓସ୍କୋ, ୧୯ ବର୍ଗମିଟର ଜାଗା(ପ୍ରତିଘର)ରେ ୩.୩୫୦ ମିଟର ଉଚ୍ଚର ତିନିଟି ସେଲଟର୍‌ ପାଭିଲିୟନ୍‌, ୬୫ ବର୍ଗ ମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର୍‌ ଉଚ୍ଚର ମହିଳା ଶୌଚାଳୟ, ୬୫ ବର୍ମ ମିଟର ଜାଗାରେ ୩.୨୦୮ ମିଟର ଉଚ୍ଚର ତିନିଟି ପୁରୁଷ ଶୌଚାଳୟ, ଉତ୍ତର ଓ ଦକ୍ଷିଣଦ୍ବାରରେ ୬୫ ବର୍ଗମିଟର(ପ୍ରତି ଘର) ଜାଗାରେ ୩.୨୦୮ ମିଟର ଉଚ୍ଚର ଦୁଇଟି ସେବାୟତ ଶୌଚାଳୟ, ପଶ୍ଚିମଦ୍ବାରରେ ୨୬.୭୧୦ ବର୍ଗମିଟର ଜାଗାରେ ୩.୨୦୮ ମିଟର ଉଚ୍ଚର ପୁଲିସ ସର୍ଭିସ୍‌ ସେଣ୍ଟର, ୨୫ ବର୍ଗ ମିଟର ଜାଗାରେ ଉତ୍ତରଦ୍ବାରରେ ଏକ ଏଟିଏମ୍‌ କିଓ‌ସ୍କୋ, ପଶ୍ଚିମଦ୍ବାରରେ ୩୩୫ ବର୍ଗମିଟର ଜାଗାରେ ଏକ ଇଲେକ୍ଟ୍ରିକାଲ୍‌ ରୁମ, ଉତ୍ତରଦ୍ବାରରେ ୨୬.୭୧୦ ବର୍ଗ ମିଟର ଜାଗାରେ ଏକ ଫାଷ୍ଟ୍‌ଏଡ୍‌ ସେଣ୍ଟର୍‌, ୬୧.୩୩୩ ବର୍ଗମିଟର ପେଭ୍‌ମେଣ୍ଟ ଏରିଆର ସ୍ଥାୟୀ ନିର୍ମାଣ କରାଯିବ। ସେହିଭଳି ଉତ୍ତର-ପୂର୍ବଦ୍ବାରରେ ରେଗୁଲେଟେଡ୍‌ ଅଞ୍ଚଳରେ ୪୧୨.୯୦୦ ବର୍ଗଫୁଟ ଜାଗାରେ ୧୪.୧୫୦ ମିଟର ଉଚ୍ଚର ଦୁଇ ମହଲା ବିଶିଷ୍ଟ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସ୍ଥାୟୀ ନିର୍ମାଣ କରାଯିବ। ସେହିଭଳି ପୂର୍ବଦ୍ବାରରେ ୫୧.୨୮୨ ବର୍ଗମିଟର ଜାଗାରେ ୬.୬୦୪ ମିଟର ଉଚ୍ଚର ବଡ଼ଛତା ମଠ ଓ ଛାଉଣି ମଠର ପୁନରୁଦ୍ଧାର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରିଥିଲା।

Leave A Reply

Your email address will not be published.