ବାରଣାସୀରେ ପ୍ରତିଷ୍ଠା ହେବ ସ୍କିଲ୍‌ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟର

ନୂଆଦିଲ୍ଲୀ/ଭୁବନେଶ୍ୱର : ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟର ପ୍ରତିଷ୍ଠା କରାଯିବ । ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନ୍‌ଏସ୍‌ଡିସିଆଇ ଇଣ୍ଟରନାସନାଲ (ଏନ୍‌ଏସ୍‌ଡିସିଆଇ) ଏବଂ ଡିପି ୱାର୍ଲଡର ଭାରତୀୟ ୟୁନିଟ୍‌, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମ୍‌ଓୟୁ ଦ୍ବାରା ଉତ୍ତରପ୍ରଦେଶର ବାରଣାସୀ ଠାରେ ସ୍କିଲ୍‌ ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରକୁ ବିକଶିତ କରାଯିବ । ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍‌, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ । ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ନେଇ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଓ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇପାରିଛି । ସରକାର ଦେଶର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତ କରୁଛି । ସରକାର ଦକ୍ଷ ଓ ନିର୍ଭରଯୋଗ୍ୟ ମାନବସମ୍ବଳ ପ୍ରସ୍ତୁତ କରୁଛନ୍ତି। ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ଦ୍ୱାରା ଦେଶ ଓ ବିଶ୍ୱ ଅର୍ଥନୀତି ଗତିଶୀଳ ହେବ । ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ ଆଜିର ଏହି ଏମ୍‌ଓୟୁ ଅନ୍ୟ ଏକ ସଫଳ ଭାଗିଦାରୀ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍‌ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.